ମହାନଦୀରେ ବଢୁଛି ଜଳସ୍ତର, ତଳିଆ ଅଞ୍ଚଳକୁ ବନ୍ୟା ଆଶଙ୍କା

୪ ଜିଲ୍ଲାର ତଳିଆ ଅଞ୍ଚଳକୁ ବନ୍ୟା ଆଶଙ୍କା । ମହାନଦୀରେ ବଢୁଛି ଜଳସ୍ତର । ଆଜି ସକାଳେ ମୁଣ୍ଡଳୀ ଦେଇ ପ୍ରାୟ ୮ ଲକ୍ଷ କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ ହେବାର ଆକଳନ କରିଛି ଜଳସମ୍ପଦ ବିଭାଗ । ଫଳରେ କଟକ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଜିଲ୍ଲାର ନଦୀକୂଳିଆ ଓ ତଳିଆ ଅଞ୍ଚଳ ପାଇଁ ବନ୍ୟା ଆଶଙ୍କା ବଢ଼ିଛି । ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ କୁମାର ରାଉତଙ୍କ ସୂଚନା ଅନୁସାରେ, ଗତକାଲି ରାତି ସୁଦ୍ଧା ମୁଣ୍ଡଳୀରେ ପ୍ରାୟ ୭ ଲକ୍ଷ କ୍ୟୁସେକ୍ ଜଳ ପହଞ୍ଚିବାର ଆକଳନ ଥିବାବେଳେ ଆଜି ସକାଳ ପ୍ରାୟ ୧୦ଟା ସୁଦ୍ଧା ଏହା ୮ ଲକ୍ଷ କ୍ୟୁସେକ୍ ପର୍ଯ୍ୟନ୍ତ ବଢ଼ିଛି । ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳପ୍ରବାହ ବଢ଼ିଛି । ଛତିଶଗଡ଼ରେ ଗାଙ୍ଗରେଲ୍ ଡ୍ୟାମର ୧୪ଟି ଗେଟ୍ ଖୋଲାଯାଇଥିବା ବେଳେ ହୀରାକୁଦ ଜଳଭଣ୍ଡାରରୁ ୩୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ହୀରାକୁଦର ଜଳସ୍ତର ପ୍ରାୟ ୬୨୮ରୁ ୬୨୯ ଫୁଟ୍ ମଧ୍ୟରେ ରହିଛି । ଏହି ପାଣି ତଳମୁଣ୍ଡକୁ ଆସୁଥିବାରୁ ମୁଣ୍ଡଳୀରେ ଜଳପ୍ରବାହ ବଢ଼ିବାକୁ ଯାଉଛି ।

ମୁଣ୍ଡଳୀରେ ପ୍ରାୟ ୮ ଲକ୍ଷ କ୍ୟୁସେକ୍ ଜଳପ୍ରବାହକୁ ତଳମୁଣ୍ଡରେ ମଧ୍ୟମ ଧରଣର ବନ୍ୟା ସ୍ଥିତି ଭାବେ ଦେଖାଯାଉଛି । ଫଳରେ ନଦୀକୂଳର ତଳିଆ ଗାଁ ଓ ଚାଷଜମିରେ ପାଣି ପଶିବାର ଆଶଙ୍କା ରହିଛି । ମୁଣ୍ଡଳୀର ଉପରମୁଣ୍ଡରେ ବିପଦ ସଙ୍କେତ ୯୭.୨୫ ଫୁଟ୍ ଓ ତଳମୁଣ୍ଡରେ ୯୫.୦୫ ଫୁଟ୍ ରହିଛି । ହୀରାକୁଦରୁ ଛଡ଼ାଯାଉଥିବା ପାଣି ତଳମୁଣ୍ଡକୁ ପହଞ୍ଚୁଥିବାରୁ ପରିସ୍ଥିତିକୁ ଦେଖି ମୁଣ୍ଡଳୀରେ ଜଳ ପରିଚାଳନା କରାଯାଉଛି । କଟକ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଜିଲ୍ଲା ପ୍ରଶାସନକୁ ନଦୀକୂଳିଆ ଓ ଡେଲ୍ଟା ଅଞ୍ଚଳ ଉପରେ କଡ଼ା ନଜର ରଖିବାକୁ କୁହାଯାଇଛି ।

ତଳିଆ ଅଞ୍ଚଳର ଲୋକଙ୍କୁ ନଦୀକୁ ନଯିବା, ଦୁର୍ବଳ ନଦୀବନ୍ଧଠାରୁ ଦୂରେଇ ରହିବା ଏବଂ ଆବଶ୍ୟକ ପଡ଼ିଲେ ସ୍ଥାନାନ୍ତର ପାଇଁ ପ୍ରଶାସନର ନିର୍ଦ୍ଦେଶ ମାନିବାକୁ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ଉତ୍ତର ଓଡ଼ିଶାରେ ମଧ୍ୟ ବନ୍ୟା ସ୍ଥିତି ଉପରେ ନଜର ରହିଛି । ଭଦ୍ରକ, ଯାଜପୁର ଓ ବାଲେଶ୍ୱରର କେତେକ ସ୍ଥାନରେ ବୈତରଣୀ, ସାଳନ୍ଦୀ ଓ ସୁବର୍ଣ୍ଣରେଖା ବିପଦ ସଙ୍କେତର ନିକଟରେ କିମ୍ବା ଉପରେ ପ୍ରବାହିତ ହେଉଛି । ପୂର୍ବରୁ ମୁତୟନ ଥିବା ଉଦ୍ଧାରକାରୀ ଦଳ ଓ ରିଲିଫ୍ ବ୍ୟବସ୍ଥାକୁ ପ୍ରସ୍ତୁତ ରଖାଯାଇଛି। ହୀରାକୁଦରୁ ଜଳ ନିଷ୍କାସନ ଏବଂ ଉପରମୁଣ୍ଡରେ ବର୍ଷାର ପରିମାଣ ଆଗାମୀ ସ୍ଥିତି ନିର୍ଣ୍ଣୟ କରିବ ।

Leave a Reply

Your email address will not be published. Required fields are marked *