ମିଆଁମାରରେ ଭୟଙ୍କର ଏୟାରଷ୍ଟ୍ରାଇକ୍, ୪୯ ଜଣ ମୃତ

ମିଆଁମାରର ପଶ୍ଚିମ ରଖାଇନ୍ ରାଜ୍ୟରେ ଭୟଙ୍କର ଏୟାରଷ୍ଟ୍ରାଇକ୍ ଘଟଣା ସାମ୍ନାକୁ ଆସିଛି। କ୍ୟାଉକ୍ତାଉ ଟାଉନସିପ୍‌ର ଏକ ବ୍ୟସ୍ତ ବଜାର ନିକଟରେ ମିଆଁମାର ସେନାର ବିମାନ ଆକ୍ରମଣରେ ପ୍ରାୟ ୪୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୮ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୨୨ ଜଣଙ୍କ ଅବସ୍ଥା ଗୁରୁତର ବୋଲି ଜଣାପଡ଼ିଛି। ସୋମବାର, ସେପ୍ଟେମ୍ବର ୨୮ ତାରିଖରେ ଏହି ଆକ୍ରମଣ ହୋଇଥିଲା। କ୍ୟାଉକ୍ତାଉ ଅଞ୍ଚଳ ବର୍ତ୍ତମାନ ଆରାକାନ୍ ଆର୍ମି ନିୟନ୍ତ୍ରଣରେ ରହିଛି । ଏୟାରଷ୍ଟ୍ରାଇକ୍ ପରେ ଘଟଣାସ୍ଥଳରେ ବ୍ୟାପକ ଧ୍ୱଂସ ଘଟିଥିବା ଖବର ମିଳିଛି । ଘରବାଡ଼ି ଓ ଯାନବାହନ କ୍ଷତିଗ୍ରସ୍ତ ହୋଇଥିବା ସହ ନିକଟସ୍ଥ ଏକ ବ୍ରିଜ୍‌ର ମଧ୍ୟ କିଛି ଅଂଶ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ଉଦ୍ଧାର ଓ ଚିକିତ୍ସା କାର୍ଯ୍ୟ ଜାରି ରଖିଥିଲେ । ଆରାକାନ୍ ଆର୍ମିର ଦାବି ଅନୁସାରେ, ଅପରାହ୍ଣ ସମୟରେ ଏକ ଯୁଦ୍ଧବିମାନ ବଜାର ନିକଟରେ ଦୁଇଟି ବୋମା ପକାଇଥିଲା ।

ଏଥିରେ ୪୯ ଜଣଙ୍କ ମୃତ୍ୟୁ ସହ ୫୮ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୨୨ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଇଛି । ତେବେ ଏହି ଦାବିଗୁଡ଼ିକର ସ୍ୱାଧୀନ ଭାବେ ସତ୍ୟତା ଯାଞ୍ଚ କରାଯାଇପାରିନାହିଁ । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ, ଜଣେ ବରିଷ୍ଠ ଉଦ୍ଧାରକାରୀ ଅଧିକାରୀ ମୃତାହତଙ୍କ ସଂଖ୍ୟା ନିଶ୍ଚିତ କରିଛନ୍ତି । ଏହି ବଜାରଟି ଅଞ୍ଚଳର ଏକ ପ୍ରମୁଖ ପାଇକାରୀ ବଜାର ଥିଲା ।

ଏଠାକୁ ରଖାଇନର ବିଭିନ୍ନ ସ୍ଥାନରୁ ବ୍ୟବସାୟୀ ଓ କ୍ରେତା ଆସୁଥିଲେ । ଏହି ଆକ୍ରମଣ ପରେ ଆରାକାନ୍ ଆର୍ମି ପକ୍ଷରୁ ପ୍ରତିଆକ୍ରମଣର ଚେତାବନୀ ମଧ୍ୟ ଦିଆଯାଇଛି । ତେବେ ଏହି ଘଟଣା ମିଆଁମାରରେ ଚାଲିଥିବା ଦୀର୍ଘଦିନର ସଂଘର୍ଷକୁ ପୁଣିଥରେ ଚର୍ଚ୍ଚାକୁ ଆଣିଛି । ୨୦୨୧ ଫେବ୍ରୁଆରୀ ୧ରେ ମିଆଁମାର ସେନା ଆଙ୍ଗ ସାନ୍ ସୁ କିଙ୍କ ନିର୍ବାଚିତ ସରକାରଠାରୁ କ୍ଷମତା ଛଡ଼ାଇ ନେବା ପରଠାରୁ ଦେଶରେ ରାଜନୈତିକ ଅସ୍ଥିରତା ଓ ସଶସ୍ତ୍ର ସଂଘର୍ଷ ଜାରି ରହିଛି ।

Leave a Reply

Your email address will not be published. Required fields are marked *