୧୨ ଘଣ୍ଟିଆ ଓଡ଼ିଶା ବନ୍ଦ: ଅଟୋ ଚଳାଚଳ ବନ୍ଦକୁ ରାଜଧାନୀ ଅଟୋ ଚାଳକ ସଂଘର ସମର୍ଥନ

ଆସନ୍ତା କାଲି ଅର୍ଥାତ ୮ ତାରିଖରେ ଇଣ୍ଡିଆ ବ୍ଲକ୍ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରାଯିବ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ ପାଇଁ ଡାକରା ଦିଆଯାଇଛି। ଏନେଇ ଇଣ୍ଡିଆ ବ୍ଲକ୍ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଓଡ଼ିଶା ବନ୍ଦକୁ ସଫଳ କରିବା ପାଇଁ ରେଳ, ବସ୍ ସମେତ ସରକାରୀ ଓ ବେସରକାରୀ ଯାନବାହନ ଚଳାଚଳ ବନ୍ଦ ରଖିବାକୁ ଆହ୍ୱାନ ଦିଆଯାଇଛି ।

ଓଡ଼ିଶା ବନ୍ଦକୁ ସମର୍ଥନ ଜଣାଇ ରାଜଧାନୀ ଅଟୋ ଚାଳକ ସଂଘ ମଧ୍ୟ ଆସନ୍ତାକାଲି ଅଟୋ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି । ସଂଘର ନିଷ୍ପତ୍ତି ଅନୁଯାୟୀ, ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କୌଣସି ଅଟୋ ଚାଲିବ ନାହିଁ। ଅନଲାଇନ୍ କିମ୍ବା ଅଫଲାଇନ୍—କୌଣସି ପ୍ରକାର ଅଟୋ ସେବା ଉପଲବ୍ଧ ହେବ ନାହିଁ। ଅଟୋ ଚାଳକମାନଙ୍କୁ ନିଜ ନିଜ ଅଞ୍ଚଳରେ ବନ୍ଦ ସମର୍ଥନରେ ଧାରଣାରେ ସାମିଲ ହେବାକୁ ମଧ୍ୟ ସଂଘ ପକ୍ଷରୁ ଆହ୍ୱାନ କରାଯାଇଛି। ଇଣ୍ଡିଆ ବ୍ଲକ୍ ନେତାମାନଙ୍କ ଅନୁସାରେ, ଚାରିଟି ପ୍ରମୁଖ ଦାବିକୁ ନେଇ ଏହି ବନ୍ଦ ଡାକରା ଦିଆଯାଇଛି। ଏସ୍‌ଆଇଆର୍‌ ପ୍ରସଙ୍ଗରେ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ବହିଷ୍କାର ଦାବି କରାଯାଇଛି। ଏହାସହ ଏମ୍‌ଏମ୍‌ଡିଆର୍‌ ଆଇନର ସଂଶୋଧନ ପ୍ରତ୍ୟାହାର କରି ଓଡ଼ିଶାର ଖଣିଜ ସମ୍ପଦର ସୁରକ୍ଷା ପାଇଁ ଦାବି ଉଠିଛି।

ଅନ୍ୟପକ୍ଷରେ, ବନ୍ୟା ପ୍ରଭାବିତଙ୍କୁ ପର୍ଯ୍ୟାପ୍ତ ସହାୟତା ଓ ପୁନର୍ବାସ ଯୋଗାଇବା ସହ ପ୍ରାଥମିକ ଶିକ୍ଷା ପାଠ୍ୟପୁସ୍ତକ ଅନିୟମିତତା ଏବଂ ଶିକ୍ଷା ବ୍ୟବସ୍ଥାରେ ଦୁର୍ନୀତି ଅଭିଯୋଗକୁ ନେଇ ସମ୍ପୃକ୍ତ ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି । ସିପିଆଇ ରାଜ୍ୟ ସମ୍ପାଦକ ପ୍ରଶାନ୍ତ ମିଶ୍ର କହିଛନ୍ତି, ଏହି ବନ୍ଦ କେବଳ ଓଡ଼ିଶାର ସ୍ୱାର୍ଥ ପାଇଁ ନୁହେଁ, ବରଂ ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ମଧ୍ୟ ଏକ ଲଢ଼େଇ । ବନ୍ଦକୁ ସମ୍ପୂର୍ଣ୍ଣ ଅହିଂସା ଓ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯିବ ବୋଲି ଇଣ୍ଡିଆ ବ୍ଲକ୍ ପକ୍ଷରୁ କୁହାଯାଇଛି । ତେବେ ହସ୍ପିଟାଲ, ଆମ୍ବୁଲାନ୍ସ, ମେଡିକାଲ ଷ୍ଟୋର ସମେତ ସମସ୍ତ ଜରୁରୀକାଳୀନ ସେବାକୁ ବନ୍ଦରୁ ବାଦ ଦିଆଯିବ । ଅଷ୍ଟମ ଓ ନବମ ଶ୍ରେଣୀର ପରୀକ୍ଷାର୍ଥୀମାନେ ଯେପରି ଅସୁବିଧାରେ ନ ପଡ଼ନ୍ତି, ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯିବ ବୋଲି ଇଣ୍ଡିଆ ବ୍ଲକ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Leave a Reply

Your email address will not be published. Required fields are marked *