କ୍ୟାନ୍ସର ରୋଗୀଙ୍କ ପାଇଁ ବଡ଼ ଆଶ୍ୱସ୍ତିର । ଦେଶରେ କ୍ୟାନ୍ସର ଚିକିତ୍ସା ଖର୍ଚ୍ଚ କମାଇବା ଦିଗରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟ ନିୟନ୍ତ୍ରଣ ବାହାରେ ଥିବା ଆଣ୍ଟି-କ୍ୟାନ୍ସର ଔଷଧଗୁଡ଼ିକରେ ବ୍ୟବସାୟିକ ମାର୍ଜିନ୍କୁ ସର୍ବାଧିକ ୩୦ ପ୍ରତିଶତରେ ସୀମିତ କରାଯାଇଛି। ଏହାର ପ୍ରଭାବରେ ଅନେକ କ୍ୟାନ୍ସର ଔଷଧର ଏମ୍ଆର୍ପି ୭୦ ପ୍ରତିଶତ ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି।

ନୂଆ ନିୟମ ଅନୁସାରେ ବ୍ରାଣ୍ଡେଡ୍ ଓ ଜେନେରିକ୍, ଦେଶୀ ଓ ବିଦେଶୀ, ଏପରିକି ପେଟେଣ୍ଟ ଥିବା ଓ ପେଟେଣ୍ଟ ନଥିବା ଆଣ୍ଟି-କ୍ୟାନ୍ସର ଔଷଧ ମଧ୍ୟ ଏହି ବ୍ୟବସ୍ଥା ଅଧୀନରେ ଆସିବ। ସରକାରଙ୍କ ଆକଳନ ଅନୁସାରେ, ଏହା ଫଳରେ କ୍ୟାନ୍ସର ରୋଗୀ ଓ ସେମାନଙ୍କ ପରିବାର ପ୍ରତିବର୍ଷ ପ୍ରାୟ ୨,୫୦୦ କୋଟି ଟଙ୍କା ସଞ୍ଚୟ କରିପାରିବେ । କ୍ୟାନ୍ସର ଚିକିତ୍ସାରେ ଔଷଧ ଖର୍ଚ୍ଚ ଏକ ବଡ଼ ଆର୍ଥିକ ବୋଝ । ଭାରତରେ ପ୍ରତିବର୍ଷ ୧୫ ଲକ୍ଷରୁ ଅଧିକ ନୂଆ କ୍ୟାନ୍ସର ମାମଲା ଚିହ୍ନଟ ହେଉଥିବା ବେଳେ ଦାମୀ ଔଷଧ ଯୋଗୁଁ ଅନେକ ପରିବାର ଆର୍ଥିକ ଚାପରେ ପଡ଼ୁଛନ୍ତି । ଏହାକୁ ନେଇ ଔଷଧର ମୂଲ୍ୟ ଓ ଏମ୍ଆର୍ପି ମଧ୍ୟରେ ବଡ଼ ପାର୍ଥକ୍ୟକୁ ନେଇ ସୁପ୍ରିମକୋର୍ଟ ମଧ୍ୟ ପ୍ରଶ୍ନ ଉଠାଇଥିଲେ । ଏକ ମାମଲାରେ ପ୍ରାୟ ୨,୭୦୦ ଟଙ୍କାରେ ରିଟେଲରଙ୍କ ପାଖରେ ପହଞ୍ଚୁଥିବା ଔଷଧର ଏମ୍ଆର୍ପି ୨୭ ହଜାର ଟଙ୍କା ଥିବା ତଥ୍ୟ ସାମ୍ନାକୁ ଆସିଥିଲା।

ସରକାରଙ୍କ କହିବା ଅନୁସାରେ, ୨୦୧୯ରେ ୪୨ଟି ନନ୍-ସିଡ୍ୟୁଲ୍ଡ ଆଣ୍ଟି-କ୍ୟାନ୍ସର ଔଷଧରେ ୩୦ ପ୍ରତିଶତ ଟ୍ରେଡ୍ ମାର୍ଜିନ୍ ଲାଗୁ କରାଯାଇଥିଲା। ପରବର୍ତ୍ତୀ ସମୟରେ ୫୨୬ଟି ବ୍ରାଣ୍ଡର ଏମ୍ଆର୍ପି ହାରାହାରି ପ୍ରାୟ ୫୦ ପ୍ରତିଶତ କମିଥିଲା ଏବଂ ରୋଗୀମାନଙ୍କ ପ୍ରାୟ ୯୮୪ କୋଟି ଟଙ୍କା ସଞ୍ଚୟ ହୋଇଥିଲା। ତେବେ ସରକାରଙ୍କ ଏହି ପଦକ୍ଷେପକୁ ନେଇ ଔଷଧ ଶିଳ୍ପ ପକ୍ଷରୁ କିଛି ଆପତ୍ତି ମଧ୍ୟ ପ୍ରକାଶ ପାଇଛି। ଅଧିକ ମାର୍ଜିନ୍ ଥିବା ଔଷଧରେ ନିର୍ଦ୍ଦିଷ୍ଟ ଭାବେ ହସ୍ତକ୍ଷେପ କରିବା ସହ ଔଷଧର ଗୁଣବତ୍ତା, ଗବେଷଣା ଓ ଉତ୍ପାଦନ ଦିଗରେ ମଧ୍ୟ ସମାନ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଶିଳ୍ପ ସଂଗଠନଗୁଡ଼ିକ ମତ ଦେଇଛନ୍ତି । ଆଣ୍ଟି-କ୍ୟାନ୍ସର ଔଷଧର ମୂଲ୍ୟ କମାଇବା ପଦକ୍ଷେପ କ୍ୟାନ୍ସର ଚିକିତ୍ସାକୁ ଅଧିକ ସୁଲଭ କରିବାରେ ଏକ ବଡ଼ ପଦକ୍ଷେପ ବୋଲି ଆଶା କରାଯାଉଛି।
