ଜନ୍ତରମନ୍ତର ୨.୦: ଦିଲ୍ଲୀ ଯିବାକୁ ଥିବା ସମସ୍ତ ମେଲ୍-ଏକ୍ସପ୍ରେସ ବାତିଲ

‘ଜନ୍ତରମନ୍ତର ୨.୦’ ଆନ୍ଦୋଳନକୁ ନେଇ ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ସମ୍ଭାବ୍ୟ ବଡ଼ଧରଣର ବିକ୍ଷୋଭ ଓ ଟ୍ରାଫିକ ସମସ୍ୟାକୁ ଏଡ଼ାଇବା ପାଇଁ ଦିଲ୍ଲୀ ହାଇ ଆଲର୍ଟରେ ପୋଲିସ । ଏହାର ପ୍ରଭାବରେ ଦିଲ୍ଲୀ ମେଟ୍ରୋର ୫୭ଟି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନର ପ୍ରବେଶ ଓ ପ୍ରସ୍ଥାନ ଗେଟ୍ ବନ୍ଦ ରଖିବାକୁ ଦିଲ୍ଲୀ ପୋଲିସ ପକ୍ଷରୁ DMRCକୁ ଚିଠି ଲେଖାଯାଇଥିବା ଖବର ମିଳିଛି ।ରାଜୀବ ଚୌକ, କେନ୍ଦ୍ରୀୟ ସଚିବାଳୟ, ନୂଆଦିଲ୍ଲୀ, କାଶ୍ମୀର ଗେଟ୍, ମାଣ୍ଡି ହାଉସ୍, ଆଇଟିଓ ଓ ସୁପ୍ରିମକୋର୍ଟ ଭଳି ବ୍ୟସ୍ତବହୁଳ ମେଟ୍ରୋ ଷ୍ଟେସନ ଏହି କଟକଣା ଦ୍ୱାରା ପ୍ରଭାବିତ ହୋଇପାରେ। ଏହାଦ୍ୱାରା କେନ୍ଦ୍ରୀୟ, ଉତ୍ତର, ଦକ୍ଷିଣ ଓ ପୂର୍ବ ଦିଲ୍ଲୀର ଯାତାୟାତ ବ୍ୟବସ୍ଥା ପ୍ରଭାବିତ ହେବାର ଆଶଙ୍କା ରହିଛି ।

ସେହିପରି ରେଳଯାତ୍ରୀଙ୍କ ପାଇଁ ମଧ୍ୟ କଟକଣା ଲାଗୁ କରାଯାଇଥିବା ଖବର ରହିଛି। ଆସନ୍ତାକାଲି ସକାଳ ୪ଟାରୁ ଦିନ ୨ଟା ମଧ୍ୟରେ ନୂଆଦିଲ୍ଲୀ ଓ ହଜରତ ନିଜାମୁଦ୍ଦିନ ଷ୍ଟେସନକୁ ଆସୁଥିବା ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନ୍ ବାତିଲ କରିବାକୁ ରେଳବାଇ ପଦକ୍ଷେପ ନେଇଥିବା କୁହାଯାଉଛି । ଟ୍ରାଫିକ ଭିଡ଼ ଓ ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ । CJP ପକ୍ଷରୁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବଡ଼ ବିକ୍ଷୋଭ ଆୟୋଜନ କରାଯିବାର ଯୋଜନା ରହିଛି । SIR ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଥିବା ଏବଂ ଭୋଟର ତାଲିକାରୁ ଲକ୍ଷ ଲକ୍ଷ ନାମ ବାଦ୍ ପଡ଼ିଥିବା ଅଭିଯୋଗ କରି ଦଳ ତାଙ୍କ ଇସ୍ତଫା ଦାବି କରୁଛି । ଏହି ଆନ୍ଦୋଳନକୁ ଅନେକ ବିରୋଧୀ ଦଳ ଓ ଛାତ୍ର ସଂଗଠନ ସମର୍ଥନ ଜଣାଇଥିବା ସୂଚନା ମିଳିଛି ।

ଦିଲ୍ଲୀ ପୋଲିସ ଆନ୍ଦୋଳନ ପାଇଁ ଅନୁମତି ଦେଇନଥିବା ବେଳେ BNSSର ଧାରା ୧୬୩ ଲାଗୁ କରାଯାଇଛି । CJPର ଦାବି ଅନୁସାରେ, ଦିଲ୍ଲୀ ଆସୁଥିବା ପ୍ରାୟ ୧୦ ହଜାର କର୍ମୀ ଓ ଛାତ୍ରଙ୍କୁ ବିଭିନ୍ନ ରାଜ୍ୟରେ ଅଟକ ରଖାଯାଇଛି । ରାଜସ୍ଥାନର CJP ସହ-ପ୍ରଭାରୀ ଦୀପକ ବାଲିୟାନଙ୍କ ସମେତ ଅନେକ ନେତା ଗିରଫ ହୋଇଥିବା ଅଭିଯୋଗ ରହିଛି। ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ଦିଲ୍ଲୀ ସୀମା ଓ ପ୍ରମୁଖ ସ୍ଥାନରେ ୨୩ ହଜାରରୁ ଅଧିକ ସୁରକ୍ଷାକର୍ମୀ ମୁତୟନ ହୋଇଥିବା ସୂଚନା ମିଳିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ଯାତ୍ରା କରୁଥିବା ଲୋକଙ୍କୁ ମେଟ୍ରୋ ଓ ରେଳସେବା ସମ୍ପର୍କିତ ସଦ୍ୟତମ ସୂଚନା ଯାଞ୍ଚ କରି ଯାତ୍ରା ଯୋଜନା କରିବାକୁ ପରାମର୍ଶ ଦିଆଯାଉଛି।

Leave a Reply

Your email address will not be published. Required fields are marked *