ରାଜ୍ୟର ସମସ୍ତ ସ୍କୁଲର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ଦିଆଯିବ | ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ଯୋଗାଇ ଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ବର୍ତ୍ତମାନ ତ୍ରୁଟିର ତର୍ଜମା ଚାଲିଛି । ଖୁବଶୀଘ୍ର ପିଲାଙ୍କୁ ନୂଆ ବହି ଯୋଗାଇ ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଏନ୍. ଥିରୁମାଲା ନାଏକ । ନୂଆ ବହି ଆସିବା ପର୍ଯ୍ୟନ୍ତ SCERT ପକ୍ଷରୁ ଓସେପା ଜରିଆରେ ଡିଇଓ ମାନଙ୍କୁ ଦିଆଯାଇଥିବା ସଂଶୋଧିତ ତଥ୍ୟକୁ ନେଇ ପାଠପଢା ଯିବ ବୋଲି ସଚିବ କହିଛନ୍ତି । ସମ୍ପୂର୍ଣ୍ଣ ତ୍ରୁଟି ସଂଶୋଧନ ପରେ ସମସ୍ତଙ୍କ ଅବଗତି ପାଇଁ ବହି ଉପଲବ୍ଧ ହେବ । SCERT ଟିମ୍, ସମ୍ପାଦନା ମଣ୍ଡଳୀ ଓ ଶିକ୍ଷାବିତଙ୍କୁ ତ୍ରୁଟି ଉପରେ ତର୍ଜମା କରାଯାଉଛି ।

ଗୁରୁଚଣ୍ଡାଳ ତ୍ରୁଟିର ତର୍ଜମା ଚାଲିଛି ବୋଲି ସଚିବ କହିଛନ୍ତି । ବାସ୍ତବରେ ଯେତିକି ତ୍ରୁଟି ଉପରେ ଚର୍ଚ୍ଚା ହେଉଛି ସେତିକି ପାଠ୍ୟପୁସ୍ତକରେ ତ୍ରୁଟି ନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ କହିଛନ୍ତି । କିଛି ଶଦ୍ଦ, ବନାନକୁ ନେଇ ଭିନ୍ନ ଭିନ୍ନ ଦ୍ଵନ୍ଦ ରହିଛି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ସହ ଅନ୍ୟ ଓଡ଼ିଆ ଅଭିଧାନକୁ ନେଇ ବହିରେ ଥିବା ଶଦ୍ଦ ଓ ବ୍ୟାକରଣ ଗତ ତ୍ରୁଟିର ତର୍ଜମା ହେଉଛି । ଯେତେ ଶୀଘ୍ର ସମ୍ଭବ ଆମେ ପିଲାଙ୍କୁ ତ୍ରୁଟିଶୂନ୍ୟ ବହି ଯୋଗାଇ ଦେବା ପାଇଁ ଚେଷ୍ଟା କରୁଛୁ ବୋଲି ଏନ୍. ଥିରୁମାଲା କହିଛନ୍ତି ।
