ରାଜ୍ୟରେ ଲାଗି ରହିଛି ମୌସୁମୀ ବର୍ଷା, ୬ ଜିଲ୍ଲାକୁ ୟେଲୋ ଆଲର୍ଟ

ରାଜ୍ୟରେ ଜାରି ରହିଛି ମୌସୁମୀ ବର୍ଷା । ରାଜ୍ୟରେ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପୂର୍ଣ୍ଣ ମାତ୍ରାରେ ସକ୍ରିୟ ହୋଇଉଠିଛି । ରାତି ସାରା ବର୍ଷିବା ପରେ ଏବେ ବି ବର୍ଷୁଛି ବର୍ଷା । ଗତକାଲି ଠାରୁ ଲଘୁଚାପ ବର୍ଷା ଲାଗି ରହିଛି । ଆଜି ସକାଳୁ ରାଜଧାନୀ ଭୁବନେଶ୍ୱର ସମେତ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ଦୀର୍ଘ ଦିନର ଗୁଳୁଗୁଳି ଓ ଗରମରୁ ଲୋକଙ୍କୁ ତ୍ରାହି ମିଳିଥିବା ବେଳେ, ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି ।

ଅନ୍ୟପଟେ ଦାନା ବାନ୍ଧୁଛି ଆଉ ଏକ ବଡ଼ ଲଘୁଚାପ । ଆସନ୍ତା ୩ ତାରିଖରେ ବଙ୍ଗୋପସାଗରରେ ଲଘୁଚାପ ହେବ । ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ‘ଲଘୁଚାପ’ ସୃଷ୍ଟିର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ତେବେ ୬ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ଏନେଇ ବିଭିନ୍ନ ଜିଲ୍ଲାକୁ ଚେତାବନୀ ଦିଆଯାଇଛି । ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିପରି ପ୍ରବଳ ବର୍ଷା ସମ୍ଭାବନା ପାଇଁ ୬ ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି । ଏହି ସମୟ ମଧ୍ୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି, ବିଜୁଳି ଏବଂ ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗରୁ ସୂଚନ ମିଳିଛି ।

Leave a Reply

Your email address will not be published. Required fields are marked *