ବଢ଼ିପାରେ ବର୍ଷାର, ୧୩ରେ ଲଘୁଚାପ ସମ୍ଭାବନା

ରାଜ୍ୟରେ ବର୍ଷାର ପରିମାଣ କମ୍ ରହିଥିବା ବେଳେ ଆଗାମୀ ଦିନରେ ପାଗରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଆସନ୍ତା ଅକ୍ଟୋବର ୧୩ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷାର ପରିମାଣ ବଢ଼ିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ବିଶେଷକରି ଅକ୍ଟୋବର ୧୪ ତାରିଖରୁ ଉପକୂଳ ଓଡ଼ିଶା ଏବଂ ଏହାର ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବର୍ଷା ବଢ଼ିପାରେ । ଅକ୍ଟୋବର ୧୪ରୁ ଉପକୂଳ ଓଡ଼ିଶା ଓ ସଂଲଗ୍ନ ଜିଲ୍ଲାରେ ବର୍ଷା ବଢ଼ିବା ସମ୍ଭାବନା ଥିବାବେଳେ ଅକ୍ଟୋବର ୧୬ରେ ଉତ୍ତର ଉପକୂଳ ଓଡ଼ିଶାର ଅଧିକ ଅଞ୍ଚଳରେ ବର୍ଷା ହୋଇପାରେ। ତେଣୁ ଆଗାମୀ ଦିନରେ ପାଣିପାଗ ବିଭାଗର ସଦ୍ୟତମ ସୂଚନା ଓ ସତର୍କତା ପ୍ରତି ନଜର ରଖିବାକୁ ପରାମର୍ଶ ଦିଆଯାଉଛି।

ପାଣିପାଗ ସୂଚନା ଅନୁଯାୟୀ, ବର୍ତ୍ତମାନ ବାଂଲାଦେଶ ଓ ଏହାର ସଂଲଗ୍ନ ଅଞ୍ଚଳ ଉପରେ ଏକ ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆଣ୍ଡାମାନ ସାଗର ଅଞ୍ଚଳକୁ ପ୍ରଭାବିତ କରିପାରେ। ଫଳରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ପାଇଁ ଅନୁକୂଳ ପରିସ୍ଥିତି ତିଆରି ହେବାର ଆଶା ରହିଛି। ଏହାର ପ୍ରଭାବରେ ଆଗାମୀ କିଛି ଦିନ ମଧ୍ୟରେ ରାଜ୍ୟର ପାଗରେ ପରିବର୍ତ୍ତନ ହୋଇପାରେ। ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ ହୋଇଛି। ଢେଙ୍କାନାଳ ଜିଲ୍ଲାର ଭୁବନରେ ସର୍ବାଧିକ ୧୨ ମିଲିମିଟର ବର୍ଷା ହୋଇଛି। ଅନ୍ୟପଟେ ରାଜ୍ୟରେ ତାପମାତ୍ରା ଅପେକ୍ଷାକୃତ ଅଧିକ ରହିଛି। ପାରଳାଖେମୁଣ୍ଡିରେ ସର୍ବାଧିକ ୩୬.୨ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ ହୋଇଥିବାବେଳେ ଭୁବନେଶ୍ୱରରେ ୩୪.୮ ଡିଗ୍ରୀ ଏବଂ କଟକରେ ୩୩.୪ ଡିଗ୍ରୀ ସେଲସିୟସ୍ ରହିଛି।

ରବିବାର ରାଜ୍ୟର ଅନେକ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର ଏବଂ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହୋଇପାରେ। ସେହିପରି ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ବଜ୍ରପାତ ସହ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ଆଶଙ୍କା ରହିଛି। ଏଥିପାଇଁ ଏହି ଜିଲ୍ଲାଗୁଡ଼ିକରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅକ୍ଟୋବର ୧୨ରେ ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ଗଜପତି ଓ ଗଞ୍ଜାମର କେତେକ ସ୍ଥାନରେ ବର୍ଷା ହୋଇପାରେ। ଅକ୍ଟୋବର ୧୩ରେ ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଦକ୍ଷିଣ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *