କାଲି ଲଘୁଚାପ ସମ୍ଭାବନା, ଦୁର୍ଗାପୂଜାରେ ବର୍ଷା ଆଶଙ୍କା

ଦୁର୍ଗାପୂଜା ପୂର୍ବରୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା । ଆସନ୍ତାକାଲି ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ଗଠନ ହେବାର ସମ୍ଭାବନା ଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଦେଇଛି। ଏହାର ପ୍ରଭାବରେ ଦୁର୍ଗାପୂଜା ସମୟରେ ଓଡ଼ିଶାରେ ବର୍ଷା ହେବା ଆଶଙ୍କା ରହିଛି। ତେବେ ଆଜି ପାଇଁ ରାଜ୍ୟରେ କୌଣସି ସ୍ୱତନ୍ତ୍ର ପାଣିପାଗ ସତର୍କତା ଜାରି ହୋଇନାହିଁ।

ଆଇଏମଡିର ସଦ୍ୟତମ ବୁଲେଟିନ୍ ଅନୁଯାୟୀ, ମାଲାକ୍କା ପ୍ରଣାଳୀ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ର ପତ୍ତନଠାରୁ ପ୍ରାୟ ୯.୪ କିଲୋମିଟର ଉଚ୍ଚତା ଯାଏଁ ବ୍ୟାପିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଆଣ୍ଡାମାନ ସାଗରରେ ପ୍ରବେଶ କରିବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ଲଘୁଚାପ ସୃଷ୍ଟି ହୋଇପାରେ। ଆଜି ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ପଶ୍ଚିମ ଓଡ଼ିଶାରେ ବର୍ଷାର ସମ୍ଭାବନା କମ୍ ଥିବାବେଳେ ଉପକୂଳ ଜିଲ୍ଲାଗୁଡ଼ିକର କେତେକ ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ପୁରୀ ଆଦି ଜିଲ୍ଲାରେ ଆକାଶ ଆଂଶିକ ମେଘୁଆ ରହିବା ସମ୍ଭାବନା ରହିଛି।

ଅନ୍ୟପଟେ, ସମ୍ଭାବ୍ୟ ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବ କି ନାହିଁ, ତାହା ଏବେ ସ୍ପଷ୍ଟ ହୋଇନାହିଁ। ଏହା ଓଡ଼ିଶା ଉପକୂଳ ଆଡ଼କୁ ଗତି କରିବ କି ନାହିଁ, ସେନେଇ ମଧ୍ୟ ଅନିଶ୍ଚିତତା ରହିଛି। ଅକ୍ଟୋବର ୧୬ରୁ ଦୁର୍ଗାପୂଜା ଉତ୍ସବ ଆରମ୍ଭ ହେଉଥିବାରୁ ସମ୍ଭାବ୍ୟ ବର୍ଷାକୁ ନେଇ ପୂଜା କମିଟି ଓ ବ୍ୟବସାୟୀଙ୍କ ଚିନ୍ତା ବଢ଼ିଛି। ମଣ୍ଡପ ନିର୍ମାଣ, ତୋରଣ ସାଜସଜ୍ଜା ଓ ପୂଜା ବଜାର ଉପରେ ବର୍ଷାର ପ୍ରଭାବ ପଡ଼ିପାରେ। ତେବେ ବର୍ତ୍ତମାନ ସୁଦ୍ଧା ବାତ୍ୟା ସୃଷ୍ଟି ହେବା ନେଇ କୌଣସି ନିଶ୍ଚିତ ପୂର୍ବାନୁମାନ ନାହିଁ। ଆଗାମୀ ଦୁଇରୁ ତିନି ଦିନ ମଧ୍ୟରେ ଲଘୁଚାପର ଗତିପଥ ଓ ତୀବ୍ରତା ସମ୍ପର୍କରେ ଅଧିକ ସ୍ପଷ୍ଟ ଚିତ୍ର ମିଳିପାରେ।

Leave a Reply

Your email address will not be published. Required fields are marked *