ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ଆଜି ଶପଥ ନେବେ ବ୍ରଜମୋହନ ରାମ

ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ଆଜି ଶପଥ ଗ୍ରହଣ କରିବେ ବ୍ରଜମୋହନ ରାମ। ଏଥିସହ ସେ ଆନୁଷ୍ଠାନିକ ଭାବେ ରାଜ୍ୟର ସାମ୍ବିଧାନିକ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ। ଏହି ଅବସରରେ ଭୁବନେଶ୍ୱରସ୍ଥିତ ଲୋକ ଭବନର ନୂତନ ଅଭିଷେକ ହଲ୍‌ରେ ଆଜି ସକାଳ ୧୧ଟା ସମୟରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଏହି ଗୁରୁତ୍ୱପୂର୍ଣ୍ଣ ସମାରୋହରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ହରୀଶ ଟଣ୍ଡନ ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ।

ଶପଥ ଗ୍ରହଣ ପୂର୍ବରୁ ଗତକାଲି ପୁରୀ ଶ୍ରୀକ୍ଷେତ୍ର ଗସ୍ତ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ ନବନିଯୁକ୍ତ ରାଜ୍ୟପାଳ। ଏହି ସମୟରେ ତାଙ୍କ ସହ ତାଙ୍କ ମାଆ ଓ ପତ୍ନୀ ମଧ୍ୟ ଉପସ୍ଥିତ ଥିଲେ। ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିବା ପରେ ସେ ଭାବବିହ୍ୱଳ ହୋଇପଡ଼ିଥିଲେ। ମହାପ୍ରଭୁଙ୍କ ଦର୍ଶନ ତାଙ୍କ ପାଇଁ ଏକ ସ୍ମରଣୀୟ ଅନୁଭୂତି ହୋଇଥିଲା। ଦର୍ଶନ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବ୍ରଜମୋହନ ରାମ କହିଥିଲେ ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଭୂମି ଓଡ଼ିଶାରେ ସେବା କରିବାର ସୁଯୋଗ ପାଇ ସେ ଅତ୍ୟନ୍ତ କୃତଜ୍ଞ। ଶପଥ ଗ୍ରହଣ କରିବା ପୂର୍ବରୁ ମହାପ୍ରଭୁଙ୍କ ଦର୍ଶନ କରିବାକୁ ତାଙ୍କର ଇଚ୍ଛା ଥିଲା। ସେହି ଇଚ୍ଛା ପୂରଣ ହୋଇଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ। ଏଥିସହ ଆଗାମୀ ଦିନରେ ଓଡ଼ିଶାବାସୀଙ୍କ ଉନ୍ନତି, ରାଜ୍ୟର ବିକାଶ ଏବଂ ଜନସାଧାରଣଙ୍କ ହିତ ପାଇଁ କାର୍ଯ୍ୟ କରିବେ ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ, ଗତ ୧୨ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବ୍ରଜମୋହନ ରାମଙ୍କୁ ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ କରିଥିଲେ। ସେ ଝାଡ଼ଖଣ୍ଡର ଜଣେ ବରିଷ୍ଠ ବିଜେପି ନେତା ଭାବେ ପରିଚିତ। ଆଜି ଶପଥ ଗ୍ରହଣ ପରେ ସେ ଆନୁଷ୍ଠାନିକ ଭାବେ ଓଡ଼ିଶାର ରାଜ୍ୟପାଳ ଦାୟିତ୍ୱ ତୁଲାଇବେ। ତାଙ୍କ ନିଯୁକ୍ତି ଏବଂ ନୂତନ ଦାୟିତ୍ୱକୁ ନେଇ ରାଜ୍ୟରେ ଉତ୍ସୁକତା ପ୍ରକାଶ ପାଇଛି। ଏବେ ଓଡ଼ିଶାର ସାମ୍ବିଧାନିକ ମୁଖ୍ୟ ଭାବେ ତାଙ୍କର କାର୍ଯ୍ୟକାଳ ଆରମ୍ଭ ହେବାକୁ ଯାଉଛି।

Leave a Reply

Your email address will not be published. Required fields are marked *