ବଙ୍ଗୋପସାଗରରେ ସମ୍ଭାବ୍ୟ ଲଘୁଚାପକୁ ନେଇ ଚର୍ଚ୍ଚା ଜୋର ଧରିଛି । IMDର ଆକଳନ ଅନୁସାରେ, ଅକ୍ଟୋବର ୨୩ ତାରିଖ ବେଳକୁ ଦକ୍ଷିଣପୂର୍ବ ଓ ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ପରବର୍ତ୍ତୀ ସମୟରେ ଏହି ପାଣିପାଗ ବ୍ୟବସ୍ଥା ଉତ୍ତରପଶ୍ଚିମ ଦିଗକୁ ଗତି କରିବା ସହ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ତେବେ ଏହି ଲଘୁଚାପ ଆଗକୁ ବାତ୍ୟାର ରୂପ ନେବ କି ନାହିଁ, ସେନେଇ ଏପର୍ଯ୍ୟନ୍ତ IMD ପକ୍ଷରୁ କୌଣସି ପୂର୍ବାନୁମାନ କରାଯାଇନାହିଁ । ବିଭିନ୍ନ ଅନ୍ତର୍ଜାତୀୟ ପାଣିପାଗ ମଡେଲ୍ ଏହି ସମ୍ଭାବ୍ୟ ପାଣିପାଗ ବ୍ୟବସ୍ଥାର ତୀବ୍ରତା ଓ ଗତିପଥକୁ ନେଇ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି।

ଆମେରିକାର GFS ପାଣିପାଗ ମଡେଲ୍ ଅକ୍ଟୋବର ୨୪ ତାରିଖ ବେଳକୁ ଏହା ବାତ୍ୟା ସ୍ତରରେ ପହଞ୍ଚିପାରେ ବୋଲି ସଙ୍କେତ ଦେଉଛି । ସେହିପରି ୟୁରୋପୀୟ ECMWF ମଡେଲ୍ ଅକ୍ଟୋବର ୨୬ରୁ ୨୭ ତାରିଖ ମଧ୍ୟରେ ଏହା ଅଧିକ ଶକ୍ତିଶାଳୀ ହୋଇପାରେ ବୋଲି ଆକଳନ କରୁଛି । ଅନ୍ୟପକ୍ଷରେ, IMD-GFS ମଡେଲ୍ ଅକ୍ଟୋବର ୨୮ ତାରିଖ ବେଳକୁ ବାତ୍ୟା ସ୍ତରର ସମ୍ଭାବନା ଦର୍ଶାଉଛି । ସମ୍ଭାବ୍ୟ ବାତ୍ୟାର ଗତିପଥକୁ ନେଇ ମଧ୍ୟ ବିଭିନ୍ନ ମଡେଲ୍ ମଧ୍ୟରେ ମତଭେଦ ରହିଛି। ଅଧିକାଂଶ ମଡେଲ୍ ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ଗତି କରିପାରେ ବୋଲି ସଙ୍କେତ ଦେଉଛନ୍ତି। କେତେକ ମଡେଲ୍ ଅକ୍ଟୋବର ୨୮ ତାରିଖ ବେଳକୁ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଦର୍ଶାଉଥିବାବେଳେ ଅନ୍ୟ କିଛି ମଡେଲ୍ ଏହା ପଶ୍ଚିମବଙ୍ଗ ଓ ବାଂଲାଦେଶ ଦିଗକୁ ଗତି କରିପାରେ ବୋଲି ଆକଳନ କରୁଛନ୍ତି।
ତେଣୁ ଏବେଠାରୁ ବାତ୍ୟାର ଗତିପଥ, ତୀବ୍ରତା କିମ୍ବା ସ୍ଥଳଭାଗ ଛୁଇଁବା ସ୍ଥାନ ସମ୍ପର୍କରେ ନିଶ୍ଚିତ ଭାବେ କହିବା ସମ୍ଭବ ନୁହେଁ। ଲଘୁଚାପ ସୃଷ୍ଟି ହେବା ପରେ ପାଣିପାଗର ସ୍ଥିତି ଅଧିକ ସ୍ପଷ୍ଟ ହେବ। ତେଣୁ ଲୋକମାନେ ଗୁଜବରେ ବିଶ୍ୱାସ ନକରି IMDର ନିୟମିତ ପାଣିପାଗ ବୁଲେଟିନ୍ ଓ ସରକାରୀ ସତର୍କ ସୂଚନା ଉପରେ ନଜର ରଖିବା ଆବଶ୍ୟକ।
