ମାଛ ଜାଲରେ ପଡ଼ିଲା ୬ ଫୁଟର ବିରାଟ କୁମ୍ଭୀର । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ବ୍ରାହ୍ମଣୀକୋହ୍ଲା ଗାଁର ଘଟଣା । ଚାଷ ଜମିରେ ମାଛ ଧରିବା ପାଇଁ ଲଞ୍ଜା ଜାଲ ବସାଇଥିଲେ ଭାଗବତ ସ୍ୱାଇଁ । ଆଜି ସକାଳୁ ଜାଲ ଭିତରେ ଏକ ବିରାଟ ବଉଳା କୁମ୍ଭୀର ପଡ଼ିଥିବା ଦେଖିଥିଲେ ଲୋକେ । କୁମ୍ଭୀରକୁ ଦେଖି ଭୟଭୀତ ହୋଇପଡ଼ିଥିଲେ ଗାଁ ଲୋକ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ବନବିଭାଗ । ଜାଲରୁ କୁମ୍ଭୀରକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ବନବିଭାଗ ।

ମାଛ ଖାଇବା ପାଇଁ କୁମ୍ଭୀରଟି ଚାଷ ଜମିକୁ ଆସିଥିବା ଅନୁମାନ କରାଯାଉଛି ।ତେବେ ରାଜନଗର ଅଞ୍ଚଳରେ ବାରମ୍ବାର କୁମ୍ଭୀର ପଶିବାକୁ ନେଇ ଲୋକଙ୍କ ମଧ୍ୟରେ ଭୟ ବଢ଼ୁଛି । କେତେବେଳେ ଗାଁ କେନାଲରେ, ତ ଆଉ କେତେବେଳେ ପୋଖରୀରେ କୁମ୍ଭୀର । ଏବେ ଚାଷ ଜମିରେ ୬ ଫୁଟର କୁମ୍ଭୀର ମିଳିବା ପରେ ଚାଷୀଙ୍କ ଚିନ୍ତା ବଢ଼ିଛି ।ଜମିରେ ପାଣି ଭର୍ତ୍ତି ହୋଇ ରହିଥିବାରୁ କୁମ୍ଭୀର ଥିବା ଆଶଙ୍କାରେ ଜମିକୁ ଯିବାକୁ ଭୟ କରୁଛନ୍ତି ଲୋକେ । ରାଜନଗରରେ ବଢ଼ୁଛି କୁମ୍ଭୀର ଆତଙ୍କ, ଚାଷ ଜମିରୁ ଉଦ୍ଧାର ୬ ଫୁଟର ବଉଳା ।
