ଗୁରୁବାର ରାତିରେ ନିର୍ମାଣାଧୀନ ଚର୍ଚ୍ଚର ଛାତ ଭୁଶୁଡ଼ି ପଡ଼ିବାରୁ ବଡ଼ ଅଘଟଣ ଘଟିଛି। ଫଳରେ ଭଗ୍ନାବଶେଷ ତଳେ ଚାପି ହୋଇ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୧ ଜଣ ଆହତ ହୋଇଛନ୍ତି । ତାମିଲନାଡୁର ଭେଲ୍ଲୋର ଜିଲ୍ଲାରେ ଘଟିଛି ଏହି ଦୁର୍ଘଟଣା । ଦୁର୍ଘଟଣା ପରେ ଅଗ୍ନିଶମ ବାହିନୀ ଏବଂ NDRF ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛନ୍ତି ।

ସୂଚନାନୁଯାୟୀ, ତାମିଲନାଡୁ ଭେଲୋରର କଟପାଡି ନିକଟସ୍ଥ ମଣ୍ଡି କୃଷ୍ଣପୁରମରେ ନିର୍ମାଣାଧୀନ ଚର୍ଚ୍ଚ ଅଫ୍ ସାଉଥ୍ ଇଣ୍ଡିଆ କୋଠାର ଛାତ ସ୍ଲାବ୍ ଭୁଶୁଡ଼ି ପଡ଼ିବା ଫଳରେ ଘଟିଛି ଦୁର୍ଘଟଣା । ଶ୍ରମିକମାନେ ଛାତ ପାଇଁ କଂକ୍ରିଟ୍ ଢାଳୁଥିଲେ ଯେତେବେଳେ ସ୍ଲାବ୍ ଭୁଶୁଡ଼ି ପଡ଼ିଥିଲା । ଯାହା ଫଳରେ ଲୋକମାନେ ଭଗ୍ନାବଶେଷ ତଳେ ଫସି ଯାଇଥିଲେ । ସୂଚନା ପାଇବା ପରେ NDRF ଟିମ୍, ଜିଲ୍ଲା ପ୍ରଶାସନ, ପୋଲିସ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ସହିତ ମିଶି ନିର୍ମାଣସ୍ଥଳରେ ପହଞ୍ଚି ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଓ ୧୧ ଜଣ ଆହତ ହୋଇଛନ୍ତି । ଆହତ ୧୧ ଜଣ ଶ୍ରମିକଙ୍କୁ ଆମ୍ବୁଲାନ୍ସରେ ଭେଲୋର ସରକାରୀ ମେଡିକାଲ କଲେଜ ହସ୍ପିଟାଲ, ଖ୍ରୀଷ୍ଟିଆନ ମେଡିକାଲ କଲେଜ ହସ୍ପିଟାଲ ଏବଂ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଚିତ୍ତୁରର ଏକ ହସ୍ପିଟାଲକୁ ନିଆଯାଇଥିଲା । ଏଥିସହ ଘଟଣାର ତଦନ୍ତ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
