ଟଙ୍କା ଦେଇ ଏବେବି ପାଇପାରୁନାହାନ୍ତି ଦୋକାନ ଗୃହ
ଛତ୍ରପୁର ଠାରେ ବ୍ରହ୍ମପୁର ଉନ୍ନୟନ କତୃପକ୍ଷ(ବିଡିଏ) ଦ୍ୱାରା ନିର୍ମିତ ବାଣିଜ୍ୟକ କୋଠାଗୁଡିକର ହସ୍ତାନ୍ତର ପ୍ରକ୍ରିୟା ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଦୋକାନ ଗୃହ ପାଇଁ ବ୍ୟବସାୟୀ ମାନେ ସମସ୍ତ ଅର୍ଥ ପଇଠ କରିସାରିଥିଲେ ହେ ବର୍ଷ ବର୍ଷ ପରେ ବି ସେମାନଙ୍କୁ ଘର ମିଳିପାରିନାହିଁ । ଯାହାକୁ ନେଇ ଛତ୍ରପୁରରେ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଫଳରେ ସେଠାରେ ଜୀବିକା ଆରମ୍ଭ କରିବା ଆଶାରେ ଥିବା ବ୍ୟବସାୟୀ ଏବେ ମାନସିକ ଓ ଆର୍ଥିକ ଦୁଶ୍ଚିନ୍ତା ଦେଇ ଗତି କରୁଛନ୍ତି । ଛତ୍ରପୁର ଲୋଏର ବସଷ୍ଟାଣ୍ଡ ନିକଟରେ ବ୍ରହ୍ମପୁର ଉନ୍ନୟନ କତୃପକ୍ଷ(ବିଡିଏ) ପକ୍ଷରୁ ଏକ ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ କରାଯାଇଛି । ପୂର୍ବରୁ ସେଠାରେ ୫୦ ରୁ ଉର୍ଦ୍ଧ ପୁରୁଣା ଗୃହ ରହିଥିଲା । ସେଠାରେ କିଛି ଛୋଟ ଛୋଟ ବ୍ୟବସାୟୀମାନେ ଦୋକାନ କରି ନିଜର ବ୍ୟବସାୟ କରୁଥିଲେ । ସେଠାରେ ଥିବା ଗୃହ ଗୁଡିକ ଅସୁରକ୍ଷିତ ହୋଇ ରହିଥିବାରୁ ୨୦୧୪ ମସିହାରେ ତାହାକୁ ଭାଙ୍ଗି ଦିଆଯାଇଥିଲା । ସେଠାରେ ବ୍ୟବସାୟ କରୁଥିବା ଦୋକାନୀ ମାନଙ୍କୁ ବିଡିଏ ପକ୍ଷରୁ ଏକ ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ କରାଯାଇ ସେମାନଙ୍କୁ ଦିଆଯିବ ବୋଲି କୁହାଯାଇଥିଲା । ପୂର୍ବରୁ ଯେଉଁମାନେ ସେଠାରେ ବ୍ୟବସାୟ କରୁଥିଲେ ସେମାନଙ୍କୁ ଗୃହ ମିଳିବ ବୋଲି କୁହାଯାଇଥିଲା । ୨୦୧୯ରେ ସେଠାରେ ୪ କୋଟିରୁ ଉର୍ଦ୍ଧ ଟଙ୍କା ବ୍ୟୟ ଅଟକଳରେ ଗୋଟିଏ ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ କରାଗଲା । ଗୋଟିଏ ଗୃହ ପିଛା ବ୍ୟବସାୟୀ ମାନେ ୩ଟି କିସ୍ତିରେ ୭ ଲକ୍ଷ ଟଙ୍କା ମଧ୍ୟ ପ୍ରଦାନ କରିଲେ । ନିର୍ମାଣ କାର୍ଯ୍ୟ ସରିଥିଲେ ସୁଦ୍ଧା ଦିର୍ଘ ବର୍ଷ ବିତିଯାଇଥିଲେ ସୁଦ୍ଧା ଏଯାବତ କାହାରିକୁ ଗୃହ ମିଳିଥିବା ନେଇ ବିଡିଏ ପକ୍ଷରୁ ଏଗ୍ରିମେଂଟ କିମ୍ବା ସେମାନଙ୍କ ନାମରେ ପଞ୍ଜିକୃତ କରାଯାଇପାରିନାହିଁ । ସେଠାରେ ବିଡିଏ ପକ୍ଷରୁ ୭୭ଟି ଦୋକାନ ଗୃହ ନିର୍ମାଣ ହୋଇଛି ଏପରିକି ପାଖାପାଖି ୪୨ ଜଣ ବ୍ୟବସାୟୀ ଗୋଟିଏ ଗୃହ ପାଇବା ଆଶାରେ ୨୦୨୨ ରୁ ଜଣେ ପିଛା ୭ ଲକ୍ଷ ଟଙ୍କା ବିଡିଏକୁ ପ୍ରଦାନ କରିଛନ୍ତି । କିଛି ବ୍ୟବସାୟୀ ଗୋଟେ ଦୋକାନ ଗୃହ ମିଳିବ ସେଆଶା ନେଇ କିଛି କ୍ଷୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟୀ ବ୍ୟାଙ୍କରୁ ଋଣ ଆଣି ଗୃହ ବାବଦକୁ ଟଙ୍କା ଦେଇଛନ୍ତି, ସେମାନଙ୍କୁ ଏଯାବତ ଦୋକାନ ଗୃହ ନ ମିଳିବା ଫଳରେ ସେମାନେ ରୋଜଗାର କରିପାରୁନାହାନ୍ତି ମାତ୍ର ବ୍ୟାଙ୍କ ସୁଧ ସେମାନଙ୍କର ବଢିବାରେ ଲାଗିଛି ଯାହାଫଳରେ ଚିନ୍ତାରେ ପଡିଯାଇଛନ୍ତି । ଆଉ କିଛି ବ୍ୟବସାୟୀ ନିଜର ସଚିଂତ ପୁଞ୍ଜି ବିନିଯୋଗ କରି ବିଡିଏ କୋଠାରେ ଦୋକାନ ଗୃହ ବୁକ୍ କରିଥିଲେ । ଏଯାବତ କାହାରିକୁ ଦୋକାନ ଗୃହ ମିଳିପାରିନାହିଁ । ବାରମ୍ବାର ବିଡଏ କାର୍ଯ୍ୟାଳୟ ଦୈାଡିବା ପରେ ମଧ୍ୟ ଫଳଶୂନ । ସେମାନଙ୍କୁ କୈାଣସି ସନ୍ତୋଷ ଜନକ ଉତର ମିଳିପାରୁନାହିଁ ବୋଲି ମାର୍କେଟ କମ୍ପେ୍ଲକ୍ସ ବ୍ୟବସାୟୀ ସଂଘର ସଭାପତି ବିଜୟ ସେନାପତି କହିଛନ୍ତି । ଯଦି ଜିଲାପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦେବେ ଆନ୍ଦୋଳନକୁ ଓହ୍ଲାଇବା ସହ ଆମରଣ ଅନସନ କରାଯିବାର ଚେତାବନି ଦେଇଛନ୍ତି ସଭାପତି ।
