ମନ୍ତ୍ରୀ ସମ୍ପଦ ଙ୍କୁ ଜିଲ୍ଲାବାସୀ ଦେଲେ ଧନ୍ୟବାଦ
1999 ମସିହାରୁ ବନ୍ଦ ହୋଇଥିବା ତିର୍ତ୍ତୋଲ ଅଞ୍ଚଳରେ ଥିବା ସାରଳା ସମବାୟ ସୂତାକଳ ଜାଗାରେ ଏବେ ନିର୍ମାଣ ହେବ ଟେକ୍ସଟାଇଲ ପାର୍କ | ଶିଳ୍ପ ବିଭାଗ ବକେୟା ଥିବା 23 କୋଟି ଟଙ୍କା ପୈଠ କରି ଏହି ଜମିକୁ ଇଡକୋ ଅଧିନକୁ ଆଣିବା ପରେ ଏବେ ଜିଲ୍ଲାବାସୀଙ୍କ ମନରେ ଖୁସି ସଞ୍ଚାରିତ ହୋଇଛି | ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ସ୍ଵର୍ଗତଃ ବସନ୍ତ ବିଶ୍ଵାଳଙ୍କ ପ୍ରଚେଷ୍ଟାରେ ଜିଲ୍ଲାରେ ପ୍ରତିଷ୍ଠା ହୋଇଥିବା ଏକମାତ୍ର ସାରଳା ସମବାୟ ସୂତାକଳ ବନ୍ଦ ହେବାପରେ ଅନେକ ପରିବାର ନିଯୁକ୍ତି ହରାଇଥିଲେ | ଗତ ଜୁଲାଇ ମାସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ଜିଲ୍ଲାବାସୀ ଏନେଇ ଦାବି ରଖିଥିବା ବେଳେ ଏହା ପୁଣି ନୂତନ ଦିଗନ୍ତ ପ୍ରତିଷ୍ଠା କରିବାକୁ ଯାଉଥିବା ଆଜି ସୂଚନା ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ | ଏହି ଜମିରେ ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା 6 ଟି ଟେକ୍ସଟାଇଲ କମ୍ପାନୀ ଆସି ପରିଭ୍ରମଣ କରି ଯାଇଥିବା ବେଳେ ଏଠାରେ ପୁଣି ଜିଲ୍ଲାବାସୀ ସେମାନଙ୍କର କାରିଗରୀ କଳାନୈପୁଣ୍ୟ ପ୍ରଦର୍ଶିତ କରିବାରେ ସକ୍ଷମ ହେବେ ବୋଲି ମଧ୍ଯ ସେ ପ୍ରକାଶ କରିଛନ୍ତି | ଏହି ପରିପେକ୍ଷୀରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ଅନେକ ଲୋକ ମନ୍ତ୍ରୀଙ୍କ ପାରାଦୀପ କାର୍ଯ୍ୟାଳୟକୁ ଆସି. ମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି |
