ନୂଆଦିଲ୍ଲୀ: ବଲିଉଡ୍ ଜଗତରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି । ଜଣାଶୁଣା ବଲିଉଡ୍ ଏବଂ ଟେଲିଭିଜନ ଅଭିନେତା ମୁସ୍ତାକ୍ ଖାନଙ୍କ ୫୬ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ଧରି କ୍ୟାନ୍ସର ରୋଗ ସହ ସଂଗ୍ରାମ କରୁଥିଲେ । ଗୁରୁବାର ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ସିନେମା ଜଗତ ଏବଂ ପ୍ରଶଂସକଙ୍କ ମଧ୍ୟରେ ଗଭୀର ଶୋକର ଛାୟା ଖେଳିଯାଇଛି ।
ଦୀର୍ଘ ଦିନରୁ କ୍ୟାନ୍ସର ସହ ଲଢ଼ୁଥିଲେ
ମିଳିଥିବା ସୂଚନା ଅନୁସାରେ, ମୁସ୍ତାକ୍ ଖାନ ଗମ୍ଭୀର ଲିଭର କ୍ୟାନ୍ସର ରୋଗରେ ଆକ୍ରାନ୍ତ ଥିଲେ ଏବଂ ଦୀର୍ଘ ଦିନରୁ ତାଙ୍କର ଚିକିତ୍ସା ଚାଲିଥିଲା । ଗତ ୧୫ ଦିନ ହେବ ମୁମ୍ୱାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବଲିଉଡର ଅନେକ କଳାକାର ଏବଂ ତାଙ୍କ ଶୁଭେଚ୍ଛୁମାନେ ସୋସିଆଲ ମିଡିଆ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।
