ବଞ୍ଚିତ ଅନେକ ଆଦିବାସୀ ଗାଁ
ଯୋଜନା ଅଛି ହେଲେ ହେଉନି କାର୍ଯ୍ୟକାରୀ । ପିଢିପିଢି ଧରି ଜଙ୍ଗଲରେ ରହିଛି ଜନବସତି । ହେଲେ ମିଳୁନି ଘରଡିହ କି ଜମି ପଟା । ନିର୍ମାଣ ହୋଇପାରୁନି ସ୍ଥାୟୀ ରାସ୍ତା କି ମିଳିପାରୁନି ଏସବୁ ଗାଁ କୁ ରାଜସ୍ୱ ଗ୍ରାମର ମାନ୍ୟତା । ଗୋଟିଏ କି ଦୁଇଟି ନୁହଁ ହରଭଙ୍ଗା ବ୍ଲକର ୨୦ ରୁ ଅଧିକ ଆଦିବାସୀ ଗାଁ ଆଜି ବି ସରକାରଙ୍କ ସରକାରୀ ନଥିପତ୍ର ବାହାରେ । ଜିଲାର ହରଭଙ୍ଗା ବ୍ଲକରେ ଫେଲ ମାରିଛି ସରକାରଙ୍କ ଜଙ୍ଗଲ ଜମି ଅଧିକାର ଆଇନ ଯୋଜନା । ଫଳରେ ଦଶନ୍ଧିଦଶନ୍ଧି ଧରି ସଂରଂକ୍ଷିତ ଜଙ୍ଗଲରେ ବସବାସ କରୁଥିବା ଅନୁସୁଚିତ ଜନଜାତି ଓ ଅନିସୁଚିତ ଜାତି ସଂପ୍ରଦାୟର ଶହଶହ ପରିବାର ଏବେ ସରକାରଙ୍କ ମୌଳିକ ସୁବିଧା ସୁଯୋଗ ପାଇବାରୁ ବାଦ ପଡୁଛନ୍ତି ।
ଚାରି ପାଶ୍ୱର୍ରେ ଜଙ୍ଗଲ ଆଉ ଜଙ୍ଗଲ ଭିତରେ ରହିଛି ଗାଁ । ଗୋଟିଏ କି ଦୁଇଟି ଗାଁ ନୁହଁ ଏଭଳି ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ୨୦ ରୁ ଅଧିକ ଗାଁ ରହିଛି । ଆଉ ଏସବୁ ଗାଁ ଗୁଡିକରେ ପିଢିପିଢି ଧରି ବସବାସ କରୁଛନ୍ତି ଆଦିମ ଜାତି ଓ ଜନଜାତିର ଶତାଧିକ ପରିବାର । ହେଲେ ଏମାନଙ୍କ ପାଖରେ ନାହିଁ ଜମିପଟା, କି ଘର ଡିହ ପଟା । ଗାଁ ଗୁଡିକୁ ମିଳି ପାରିନି ରାଜସ୍ୱ ଗ୍ରାମର ମାନ୍ୟତା । ଏହି ଆଦିବାସୀ ପରିବାରଙ୍କ ପାଖରେ କୌଣସି ସରକାରୀ ନଥିପତ୍ର ଥିବା ଘରଡିହ ପଟା ନଥିବାରୁ ପିଲାଙ୍କ ପାଠପଢା ପାଇଁ ମିଳି ପାରୁନି ଜାତି ପ୍ରମାଣପତ୍ର । ଜମି ପଟା ନଥିବାରୁ ଚାଷ କରିବା ପାଇଁ ପାଇପାରୁନାହାନ୍ତି ଚାଷି ରୁଣ ।

ଏମାନଙ୍କୁ ମିଳିଛି ତ କେବଳ ଭାରତୀୟ ନାଗରିକ ପ୍ରମାଣ ଭୋଟ ପରିଚୟ ପତ୍ର । ଯାହାକି ନିର୍ବାଚନ ସମୟରେ ଏମାନଙ୍କ ପାଖକୁ ଭୋଟ ପାଇଁ ଆସନ୍ତି ନେତା । ପୁର୍ବପୁରୁଷରୁ ଜଙ୍ଗଲ କାଟି ଜନବସତି କରି ଗାଁରେ ବସବାସ କରିଆସୁଥିବାବେଳେ ଗାଁ କୁ ନାହିଁ ସ୍ଥାୟୀ ରାସ୍ତା । ୨୦୦୫-୦୬ ରେ ସରକାର ଜଙ୍ଗଲ ଜମି ଅଧିକାର ଆଇନ ଆଣିଥିବାରୁ ଏମାନେ ଖୁସି ହୋଇଥିଲେ । କାରଣ ଏବେ ପାଇବେ ଜମିପଟା,ଘରଡିହ ପଟା, ଗାଁ କୁ ମିଳିବ ରାଜସ୍ୱ ଗ୍ରାମର ମାନ୍ୟତା । ହେଲେ ଯୋଜନା ହେବାର ଦୀର୍ଘ ବର୍ଷ ବିତିଯାଇଥିଲେ ଏଯାଉଁ ଜିଲାରେ ଜଙ୍ଗଲ ଜମି ଅଧିକାର ଆଇନ ଯୋଜନା କାର୍ଯ୍ୟକାରୀ ହେଉନଥିବାରୁ ଏମାନଙ୍କ ଆଶା ଆଶାରେ ହିଁ ରହିଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।
ଜଙ୍ଗଲ ଜମି ଅଧିକାର ଆଇନ କାର୍ଯ୍ୟକାରୀ ନ ହେବାରୁ ବ୍ଲକର ଆଡେଣୀଗଡ,ତଳଗାଁ, କୁଶଙ୍ଗ,ମହାଲିକପଡା ପଂଚାୟତର ପ୍ରାୟ ୨୦ ଟି ଗାଁ ର ଶତାଧିକ ପରିବାର ଏବେ ନିରାଶ୍ରୟ । ଜଙ୍ଗଲ ଜମି ଅଧିକାର ଆଇନ ରେ ଉଭୟ ତହସିଲ,ପଂଚାୟତ, ଏବଂ ବନ ବିଭାଗ ଏସବୁ ଗ୍ରାମରେ ପଲ୍ଲୀସଭା ଗ୍ରାମସଭା କରି , ଗ୍ରାମର କ୍ଷେତ୍ରଫଳ ବାହାର କରି, ସ୍ଥାୟୀ ରାସ୍ଥା ପାଇଁ ଅନୁମୋଦନ କରିବାର ବିଧିବ୍ୟବସ୍ଥା ରହିଛି । ଆଦିବାସୀଙ୍କ ଦଖଲ ଅନୁଯାୟୀ ସର୍ବାଧିକ ପ୍ରାୟ ୪ ହେକ୍ଟର ଜମି ର ନଥିପତ୍ର ଦେବାର ନିୟମ ରହିଥିଲେ ବି ତାହା ଏଯାଏଁ ଏସବୁ ଗ୍ରାମବାସୀଙ୍କୁ ମିଳିପାରିନାହିଁ । ଜଙ୍ଗଲଜମି ପଟା ପ୍ରଦାନ କରିବା ପାଇଁ ଏସବୁ ଗ୍ରାମବାସୀ ଜିଲାପାଳଙ୍କ ଠାରୁ ଆରମ୍ଭ କରି ନେତା ମନ୍ତ୍ରୀଙ୍କୁ ଗୁହାରୀ କରିଥିଲେ ବି କୌଣସି ସୁଫଳ ମିଳୁନଥିବା କହିଛନ୍ତି ଆଦିବାସୀ ନେତା । ତେବେ ଘଟଣା ସମ୍ପର୍କରେ ବୌଦ୍ଧ ଅତିରିକ୍ତ ଜିଲାପାଳ କହିଛନ୍ତି ଯୋଜନା କାର୍ଯ୍ୟକାରୀ ହେଉଛି ଆଗକୁ ଭଲରେ କରାଯିବ ।

ଆଦିବାସୀ ଅନୁସୁଚିତ ଜନଜାତି ଓ ଜାତି ମାନଙ୍କ ବିକାଶ ପାଇଁ ରହିଥିବା ଯୋଜନାର କାର୍ଯ୍ୟକାରିତା କରିବାରେ ଜିଲ୍ଲାପ୍ରଶାସନର ଆନ୍ତରିକାତା ନଥିବାରୁ ଆଜି ପର୍ଯ୍ୟନ୍ତ ଏମାନଙ୍କ ପାଖରେ ସବୁଥାଇ ମଧ୍ୟ କିଛି ନଥିଲା ପରି ଜୀବନ ବିତାଉଛନ୍ତି । ତେବେ ଦେଖିବାର କଥା ଏହି ଆଦିବାସୀ ଗାଁ ଗୁଡିକରେ ବସବାସ କରୁଥିବା ପରିବାରଙ୍କ ପାଖରେ କେବେ ପହଁଚୁଛି ଜଙ୍ଗଲଜମି ଅଧିକାର ଆଇନ ଯୋଜନାରେ ସରକାରୀ ନଥିପତ୍ର ।
