ମଦ୍ୟପ ଗାଡ଼ି ଚାଳକଙ୍କ ଉନ୍ମତ୍ତ କାଣ୍ଡ, ବିଧାନସଭା ବ୍ୟାରିଗେଡ ଭାଙ୍ଗି ପଶିଲା କାର

ରାଜଧାନୀ ଭୁବନେଶ୍ୱରରେ ହାଇ ସିକ୍ୟୁରିଟି ଏରିଆରେ ମଦ୍ୟପ ଗାଡି ଚାଳକଙ୍କ ଉନ୍ମତ୍ତ କାଣ୍ଡ । ସୁରକ୍ଷା ବଳୟ ଭେଦ କରି ବିଧାନସଭା ଆଗରେ ଥିବା ବ୍ୟାରିକେଡକୁ ପିଟିହେଲା କାର । ଗତକାଲି ବିଳମ୍ବିତ ରାତିରେ ଜଣେ ମଦ୍ୟପ ସୁରକ୍ଷା ବଳୟକୁ ଭେଦ କରି ସିଧାସଳଖ ବିଧାନସଭା ଆଗରେ ଥିବା ବ୍ୟାରିଗେଡରେ କାର୍‌ଟିକୁ ପିଟିଥିଲେ । ଧକ୍କା ଏତେ ଜୋରଦାର ଥିଲା ଯେ ବ୍ୟାରିକେଡଟି ସଂପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି । ବିଧାନସଭା ଭଳି ଏକ ଅତି ସମ୍ବେଦନଶୀଳ ସ୍ଥାନରେ ଏଭଳି କାଣ୍ଡ ଘଟିଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ସନ୍ଦେହ ପ୍ରକାଶ ପାଇଛି ।

ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ସହିତ ସ୍ପେଶାଲ ଟାକ୍ଟିକାଲ ଗ୍ରୁପ୍ ର କମାଣ୍ଡୋ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ସୁରକ୍ଷାକର୍ମୀ ଓ STG ଟିମ୍ ସାରା ଅଞ୍ଚଳକୁ ଘେରିବା ସହ ଗାଡ଼ି ଚାରିପାଖରେ କଡ଼ା ତନାଘନା ଓ ଯାଞ୍ଚ ଆରମ୍ଭ କରିଛନ୍ତି। କାର୍ ଭିତରେ ଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ଦୁହେଁ ଅତ୍ୟଧିକ ମଦ୍ୟପାନ କରି ଗାଡ଼ି ଚଲାଉଥିବାରୁ ଏହି ଦୁର୍ଘଟଣା ଘଟିଛି ବୋଲି ସୂଚନା ମିଳିଛି । ପୋଲିସ ଦୁର୍ଘଟଣା ଘଟାଇଥିବା କାର୍‌କୁ ଜବତ କରିବା ସହ ଘଟଣାର ପଛରେ ଅନ୍ୟ କିଛି ଉଦ୍ଦେଶ୍ୟ ରହିଛି କି ନାହିଁ, ସେ ନେଇ ଅଧିକ ଖୋଳତାଡ୍ କରୁଛି ।

Leave a Reply

Your email address will not be published. Required fields are marked *