କମଣ୍ଡ ଲୌହପ୍ଲାଣ୍ଟରେ ବଡ଼ ବିସ୍ଫୋରଣ, ୫ ଶ୍ରମିକ ଆହତ

ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ କାଲଟା ଫାଣ୍ଡି ଠାରେ ଅଘଟଣ । କାଲଟା ଫାଣ୍ଡି ଅଧୀନ କମଣ୍ଡ ଲୌହପ୍ଲାଣ୍ଟରେ ବଡ଼ ଧାରଣର ବିସ୍ଫୋରଣ ହୋଇଛି । ଆଜି ସକାଳ ପ୍ରାୟ ୯ଟା ୩୦ ମିନିଟ୍ ସମୟରେ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣକୁ ନେଇ ପ୍ଲାଣ୍ଟ ପରିସରରେ ଆତଙ୍କ ଖେଳିଯାଇଥିଲା ।

ସୂଚନା ଅନୁସାରେ, ପ୍ଲାଣ୍ଟର SMS-୨ ୟୁନିଟ୍‌ର ଫର୍ନେସ୍ ହାଣ୍ଡି ନିକଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିସ୍ଫୋରଣ ଘଟିଥିବା ଅନୁମାନ କରାଯାଉଛି । ଏହି ବିସ୍ଫୋରଣ ସମୟରେ ନିକଟରେ କାର୍ଯ୍ୟରତ ୫ ଜଣ ଶ୍ରମିକ ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ଆହତ ଶ୍ରମିକମାନଙ୍କୁ ତୁରନ୍ତ ଡିଗ୍ରେନ୍ସରୀ ଠାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଗୁରୁତର ଆହତଙ୍କ ଚିକିତ୍ସା ଉପରେ ବିଶେଷ ଧ୍ୟାନ ଦିଆଯାଉଥିବା ଜଣାପଡ଼ିଛି ।

ଅନ୍ୟପକ୍ଷରେ, ବିସ୍ଫୋରଣ ପରେ ପ୍ଲାଣ୍ଟ କର୍ତ୍ତୃପକ୍ଷ ସୁରକ୍ଷା ଦୃଷ୍ଟିରୁ ଫର୍ନେସ୍ ଅଞ୍ଚଳକୁ ସିଲ୍ କରିଛନ୍ତି । ଏଥିସହ ଅନ୍ୟ ଶ୍ରମିକମାନଙ୍କୁ ଘଟଣାସ୍ଥଳକୁ ନଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଘଟଣା ସମ୍ପର୍କରେ ପୁଲିସ୍ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ବିସ୍ଫୋରଣର ପ୍ରକୃତ କାରଣ କ’ଣ ଏବଂ ଏଥିରେ କୌଣସି ଅବହେଳା ରହିଛି କି ନାହିଁ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ଏପର୍ଯ୍ୟନ୍ତ ଆହତ ଶ୍ରମିକମାନଙ୍କ ସମ୍ପୂର୍ଣ୍ଣ ପରିଚୟ ମିଳିପାରିନାହିଁ।

Leave a Reply

Your email address will not be published. Required fields are marked *