ଚଳ ଚଞ୍ଚଳ ଶ୍ରୀକ୍ଷେତ୍ର, ସଜେଇ ହେଉଛି ନରେନ୍ଦ୍ର ପୁଷ୍କରିଣୀ, ଆସନ୍ତା କାଲି ପଵିତ୍ର ଅକ୍ଷୟ ତୃତୀୟ..
ଆସନ୍ତା କାଲି ୨୦ ତାରିଖରେ ପଵିତ୍ର ଅକ୍ଷୟ ତୃତୀୟ । ବାହାର ଚନ୍ଦନ ଯାତ୍ରାରେ ଗ୍ରୀଷ୍ମ ଦାଉରୁ ଉପଶମ ପାଇଁ ଜଳକ୍ରୀଡ଼ା କରିବେ ମାନବୀୟ ଲୀଳାଧାରୀ ମହାପ୍ରଭୁ।ଏନେଇ ଚଳ ଚଞ୍ଚଳ ଶ୍ରୀକ୍ଷେତ୍ର।ଆଉ ଆରମ୍ଭ ହେଲାଣି ପ୍ରଶାସନିକ ପ୍ରସ୍ତୁତି।ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ର ନୀତି ନିର୍ଘଣ୍ଟରେ ବି ବାଜି ସାରିଛି ମୋହର।ତେବେ ଏନେଇ ଚନ୍ଦନ ଘର ଓ ମଣ୍ଡପକୁ ସୁସଜ୍ଜିତ କରାଯାଉଛି।ଚିତ୍ରରେ ଚିତ୍ରିତ ହେଲାଣି ଚନ୍ଦନ ଘର ଓ ନନ୍ଦା ଭଦ୍ରା ଚାପର ବିଭିନ୍ନ ଅଂଶ ।
ସଜେଇ ହେଉଛି ନନ୍ଦା ଚାପ,ସଜେଇ ହେଉଛି ଭଦ୍ରା ଚାପ।ଗ୍ରୀଷ୍ମ ଦାଉରୁ ଉପଶମ ପାଇଁ ଜଳକ୍ରୀଡ଼ା କରିବେ ମାନବୀୟ ଲୀଳାଧାରୀ ମହାପ୍ରଭୁ। ବୈଶାଖ ତୃତୀୟା ତିଥିରୁ ନୌବିହାର କରିବାକୁ ନରେନ୍ଦ୍ର ସରୋବରକୁ ମଣି ବିମାନରେ ବିରାଜିବେ ଶ୍ରୀମନ୍ଦନମୋହନ, ଭୂଦେବୀ, ଶ୍ରୀଦେବୀ। ତାଙ୍କ ସହ ସୁସଜ୍ଜିତ ପାଲିଙ୍କିରେ ରାମ କୃଷ୍ଣଙ୍କ ସମେତ ପଞ୍ଚ ମହାଦେବ ମଧ୍ୟ ନିଜ ବିମାନରେ ଆସି ନରେନ୍ଦ୍ରରେ ନୌକା ବିହାର କରିବେ। ଆସନ୍ତା ୨୦ ତାରିଖ ଅକ୍ଷୟ ତୃତୀୟାରୁ ଆରମ୍ଭ ହେବ ପ୍ରଭୁଙ୍କ ଦ୍ବାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ଦୀର୍ଘତମ ଯାତ୍ରା ଚନ୍ଦନ ଯାତ୍ରା ।ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ନରେନ୍ଦ୍ର ପୁଷ୍କରଣୀର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଉଥିବା ବେଳେ ଚାପ ଡଙ୍ଗାରେ ବିଭିନ୍ନ ଅଂଶରେ ରଙ୍ଗ ବୋଳା କାର୍ଯ୍ୟ ଆରମ୍ଭ ହେଲାଣି । ସେପଟେ ପୁରୀ ଏସ୍ପି ପ୍ରତୀକ ସିଂ ନରେନ୍ଦ୍ର ପୁଷ୍କରିଣୀର ଚନ୍ଦନ ଚକଡା ଓ ମହାପ୍ରଭୁଙ୍କ ଚାପ ସ୍ଥଳକୁ ଏସ୍ପି ପରିଦର୍ଶନ କରିଥିଲେ। ପରମ୍ପରା ଅନୁଯାୟୀ ଓ ଶୃଙ୍ଖଳିତ ଭାବେ ସମ୍ପର୍ଣ୍ଣ ପାଇଁ ଏସ୍ପି ପ୍ରତୀକ ସିଂ ଉପସ୍ଥିତ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି। ୫ ପ୍ଲାଟୁନ ଫୋର୍ସ ମୁତୟନ ରହିବେ ।
\ ସେହିପରି ଜଣେ ଅତିରିକ୍ତ ଏସ୍ପି, ୫ ଜଣ ଡ଼ିଏସ୍ପି, ୮ ଜଣ ଇନ୍ସପେକ୍ଟର ଓ ୨୦ ଜଣ ଏଏସଆଇ/ଏସଆଇଙ୍କ ସମେତ ୫୮ଜଣ ହୋମ ଗାର୍ଡ ଉପସ୍ଥିତ ରହିବେ। ତେବେ ଚଳିତ ବର୍ଷ ନରେନ୍ଦ୍ରକୋଣରେ ସୁରକ୍ଷା ପାଇଁ ସମ୍ପୂର୍ଣ୍ଣ ସିସିଟିଭି ବଳୟ ମଧ୍ୟରେ ରହିବ । ବାଣ ଫୁଟାଇ ବା ଉପରେ କଟକଣା ଲାଗିଛି ।

ସେପଟେ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରାର ନୀତି ନିର୍ଘଣ୍ଟକୁ ନେଇ ନୀତି ସବକମିଟି ଓ ଛତିଶା ନିଯୋଗ ବୈଠକରେ ମୋହର ବାଜି ସାରିଛି ।ଅକ୍ଷୟ ତୃତୀୟା ଦିନ ରାତି 3 ରୁ ଦ୍ଵାରଫିଟା,ଭୋର୍ 4ରୁ ମଙ୍ଗଳ ଆଳତୀ ।5 ଟା 30ରୁ ଅବକାଶ,7 ଟା ରୁ ଗୋପାଳ ବଲ୍ଲଭ ନୀତି ହୋଇ ସକାଳ 7 ଟା 30 ରୁ 9ଟା ମଧ୍ୟରେ ସରିବ ସକାଳ ଧୂପ,।3 ଟା ରେ ଦ୍ୱାଦଶ ଯାତ୍ରା ଆରମ୍ଭ ହୋଇ 3 ଟା 30 ରେ ଚନ୍ଦନ ଯାତ୍ରା ପାଇଁ ବିମାନକୁ ବିଜେ କରିବେ ଚଳନ୍ତି ପ୍ରତିମା। 1 ଟା 10 ରୁ 4 ଟା 30 ମଧ୍ୟରେ ଉଠିବ ଭୋଗମଣ୍ଡପ ।ରାତ୍ର 12 ସୁଦ୍ଧା ହେବ ପହୁଡ଼ ନୀତି। ଅନ୍ୟପଟେ ଚନ୍ଦନ ଯାତ୍ରା କୁ ନେଇ ଜୋରସରରେ ଚାଲିଛି ପ୍ରସ୍ତୁତି।ଚନ୍ଦନଘର ଓ ମଣ୍ଡପକୁ ସୁସଜ୍ଜିତ କରାଯାଉଛି।
ଚନ୍ଦନ ଘର ବାହାର ପାର୍ଶ୍ବରେ ଚିତ୍ରକରଙ୍କ ଦ୍ବାରା ବିଭିନ୍ନ ଚିତ୍ରରେ ସୁସଜ୍ଜିତ କରାଯାଉଛି। ନରେନ୍ଦ୍ର ପୁଷ୍କରିଣୀରେ ଚାପ ଡଙ୍ଗାରେ ରାଳ ବୋଳା ସରିଛି। ଶିଉଳି ଛଡ଼ାଇ ସଫା କରାଯିବା ପରେ ପିଚୁ, ରାଳ ଓ ଝୁଣା ମିଶି ରନ୍ଧା ହୋଇ ଏହାର ଲେପ ଡଙ୍ଗାରେ ଦିଆଯାଇଛି।
ପରମ୍ପରା ଅନୁଯାୟୀ ଚୈତ୍ର ପୂର୍ଣ୍ଣିମା ରେ ବର୍ଷ ତମାମ ବୁଡ଼ି ରହିଥିବା 5 ଡଙ୍ଗାକୁ ନରେନ୍ଦ୍ର ଜଳରୁ ବାହାର କରନ୍ତି ଭୋଇ ସେବକ ।ଏହାପରେ ଏହାକୁ ଶୁଖାଇ,ରାଳ ଦେଇ ପାରେ ସୁସଜ୍ଜିତ କରାଯାଏ ।ଦୁଇଟି ଡଙ୍ଗାକୁ ଯୋଡ଼ି ନନ୍ଦା,ଆଉ ଦୁଇଟି ଡଙ୍ଗାକୁ ଯୋଡ଼ି ଭଦ୍ରା ଚାପ ପ୍ରସ୍ତୁତ ହୁଏ ।ନନ୍ଦା ରେ ବିରାଜମାନ ହୁଅନ୍ତି,ମଦନ ମୋହନ,ଭୂଦେବୀ,ଶ୍ରୀଦେବୀ। ଭଦ୍ରାରେ ବିରାଜମାନ ହୁଅନ୍ତି ପଞ୍ଚ ମହାଦେବ।
