ଯେତେବେଳେ ବିପଦ ଆସେ ସେ କାହାକୁ କହି ଆସି ନଥାଏ ଓ ବେଳେବେଳେ ସେ ଏମିତି ସ୍ଥାନରେ ଛିଡା କରି ଦେଇଥାଏ , ସେତେବେଳେ ଖାଲି ଭଗବାନଙ୍କୁ ଡାକିବା ଛଡ଼ା ଆଉ କିଛି ଉପାୟ ନଥାଏ । ଆଜି ସେମିତି ଏକ ପରିବାର ଉପାୟ ଶୂନ୍ୟ ହୋଇ ସରକାରଙ୍କର ସହଯୋଗକୁ ଅନେଇ ବସିଛନ୍ତି । ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅରେଇ ଗ୍ରାମ ପଞ୍ଚାୟତ ଅଧୀନ ଅରେଇ ଗ୍ରାମର ୫୨ ବର୍ଷୀୟ ବିନୋଦ ବିହାରୀ ଯେନା ମୁଲ ଲାଗି ପରିବାର ପ୍ରତିପୋଷଣ କରନ୍ତି । ସେ ୧୦ ମାସ ତଳେ ଡିଜେ କଲରେ ଯାଇଥିବା ବେଳେ କୌଣସି କାରଣରୁ ଡିଜେ ବକ୍ସ ତାଙ୍କ ଉପରେ ଗଳି ପଡ଼ିଥିଲା । ମେରୁଦଣ୍ଡରେ ପ୍ରବଳ ଆଘାତ ଯୋଗୁଁ ତାଙ୍କୁ ପ୍ରଥମେ ଯାଜପୁର ବଡ଼ ମେଡିକାଲ ଓ ପରେ ଏସ୍ ସି ବି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ।
ସେଠାରେ କିଛିଦିନ ରହିବା ପରେ ଘରକୁ ଫେରି ଘରେ ରହି ଔଷଧ ଖାଇ ଚିକିତ୍ସାରେ ରହିଥିଲେ । ଏପରି ଅବସ୍ଥାରେ ବିନୋଦ ରୋଜଗାର ହରାଇ ଥିବାରୁ ତାଙ୍କ ଚିକିତ୍ସା ଓ ଔଷଧରେ ତାଙ୍କର ଗଛିତ ଅର୍ଥ ଖର୍ଚ୍ଚ ହୋଇ ଯାଇଥିଲା । ପରବର୍ତ୍ତୀ ସମୟରେ ସାହି ପଡିସାଙ୍କର ସହାୟତାରେ ତାଙ୍କୁ ଟାଙ୍ଗୀ ସ୍ଥିତ ପଦ୍ମିନୀ କେୟାରରେ ଅପରେସନ କରାଯାଇ ଘରକୁ ଅଣା ଯାଇଥିଲା । କିନ୍ତୁ ଔଷଧ ଖାଇବା ଓ ପରବର୍ତ୍ତୀ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିଲା । ତେବେ ଏହି ପରିପ୍ରେକ୍ଷୀରେ ବିନୋଦଙ୍କ ସ୍ତ୍ରୀ କାନ୍ଦି କାନ୍ଦି ଅଭାବ ଅନଟନ ଭିତରେ ରହିଥିବା ବେଳେ ତାଙ୍କର ଅସୁବିଧା ମଧ୍ୟ କହିଛନ୍ତି । ବିନୋଦ ବିଛଣାରେ ପଡ଼ି ରହିଥିବା ବେଳେ ପାଣି ବୁନ୍ଦାଏ ପିଇବା ପାଇଁ ମଧ୍ୟ ସାହାରାର ଆବଶ୍ୟକତା ପଡୁଛି। ସେ ରହୁଥିବା ଘରେ ପଶିଲେ ମୁଣ୍ଡ ବାଜୁଥିବା ବେଳେ ବର୍ଷା ହେଲେ ବହୁ ଅସୁବିଧା ହେଉଥିବା କଥା କହିଛନ୍ତି ବିନୋଦଙ୍କ ସ୍ତ୍ରୀ । ଯଦି ସରକାରୀ ସହାୟତା ମିଳନ୍ତା ତେବେ ବିନୋଦଙ୍କ ଚିକିତ୍ସାରେ ସହାୟତା ହେବା ସହ ପରିବାରଟି ଉପକୃତ ହୋଇପାରନ୍ତା । ସରକାରୀ ସହାୟତା ପାଇଁ ବିନୋଦଙ୍କ ପରିବାର ସରକାରଙ୍କୁ ଅନୁରୋଧ କରିଛନ୍ତି ।
