ପୁଣିଥରେ ସୁବର୍ଣ୍ଣରେଖା ନଦୀରୁ ମିଳିଲା ଦ୍ଵିତୀୟ ବିଶ୍ୱଯୁଦ୍ଧ୍ୟ ସମୟର ବୋମା

ମୟୁରଭଞ୍ଜ ଜିଲ୍ଲା ସଂଲଗ୍ନ ତିନିରାଜ୍ୟ ସୀମାନ୍ତବର୍ତ୍ତୀ ଝାରଖଣ୍ଡ ରାଜ୍ୟ ବୋହଡାଗୋଡ଼ା ଥାନା ଅନ୍ତର୍ଗତ, ବରାଗାଡିଆ ପଞ୍ଚାୟତ ଅନ୍ତର୍ଗତ ପାଣିପଡ଼ା ଗ୍ରାମ ନିକଟରେ ରହିଥିବା ସୁବର୍ଣ୍ଣରେଖା ନଦୀରୁ କିଛିଦିନ ବ୍ୟବଧାନରେ ପୁଣି ଥରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ୟବହାର କରାଯାଉଥିବା ଏକ ବୋମା ଦେଖିବାକୁ ମିଳିଛି । ଉକ୍ତ ବୋମା ବାବଦରେ ସୂଚନା ପାଇବା ପରେ, ଭାରତୀୟ ସେନାର ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଁଚି ଥିଲେ।

ଆପଣ ମାନଙ୍କୁ ସୂଚିତ କରିବାକୁ ଚାହୁଁଚୁ କି,  କିଛିଦିନ ପୂର୍ବରୁ ମାର୍ଚ୍ଚ ୨୫ ତାରିଖରେ ମଧ୍ୟ ବୋମା ମିଳିଥିବା ନିକଟ ଅଞ୍ଚଳରେ ଦୁଇଟି ବୋମା ମିଳିଥିଲା ଏବଂ ସେହି ଦୁଇଟି ବୋମା ପ୍ରାୟ 10 ରୁ 15 ଫୁଟ ଗଭୀର ଏକ ଗାତରେ ରଖାଯାଇ ସୁରକ୍ଷିତ ଭାବରେ ବିସ୍ଫୋରଣ କରାଯାଇଥିଲା। ତେବେ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଥିଲେ ଯେ ସୁବର୍ଣ୍ଣରେଖା ନଦୀ କୂଳ ନିକଟବର୍ତ୍ତୀ ଅଞ୍ଚଳରେ ଏପରି ଅନ୍ୟ ପୁରୁଣା ବୋମା ଥାଇପାରେ। ପୂର୍ବ ଅନୁମାନ ଅନୁଯାଇ ସମାନ ସ୍ଥାନରୁ ଆଉ ଏକ ଆମେରିକୀୟ ନିର୍ମିତ ଉପକରଣ – ଉଦ୍ଧାର ହେବା ଖବର ସ୍ଥାନୀୟ ପ୍ରଶାସନ ଏବଂ ବାସିନ୍ଦାଙ୍କ ମଧ୍ୟରେ ଚିନ୍ତାକୁ ବୃଦ୍ଧି କରିଛି।

ଆଗାମୀ ଦିନରେ ସ୍ଥାନୀୟ ଗ୍ରାମବାସୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି, ଭବିଷ୍ୟତରେ ଯେକୌଣସି ବଡ଼ ଦୁର୍ଘଟଣାକୁ ରୋକିବା ପାଇଁ ଏକ ବ୍ୟାପକ ତଦନ୍ତ ପାଇଁ ଅଞ୍ଚଳବାସୀଙ୍କ ଦାବି ବୃଦ୍ଧି ପାଉଛି।

ଘଟଣାର ଖବର ପାଇବା ପରେ, ସ୍ଥାନୀୟ ପ୍ରଶାସନ ଏବଂ ସୁରକ୍ଷା ସଂସ୍ଥାଗୁଡ଼ିକ ତୁରନ୍ତ ହାଇ ଆଲର୍ଟ ଜାରି କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି, ଏବଂ ସ୍ଥାନୀୟ ବାସିନ୍ଦାମାନଙ୍କୁ ନଦୀ ନିକଟବର୍ତ୍ତୀ ଅଞ୍ଚଳକୁ ଯିବାକୁ କଡ଼ା ବାରଣ କରାଯାଇଛି। ତେବେ ଉକ୍ତ ବୋମା ଗୁଡିକ ଦୀର୍ଘ ବର୍ଷ ଧରି ପଡି ରହିବା, ପୁଣି ଜୀବନ୍ତ ଭାବେ, ଏହା ସଭିଙ୍କ ଭିତରେ ଦ୍ଵିତୀୟ ବିଶ୍ୱଯୁଦ୍ଧ୍ୟରେ ଭାରତର ସକ୍ରିୟତା କୁ ମନେପକାଇ ଦେଇଛି। ଦୁଇଟି ବୋମାକୁ ଗତ ମାର୍ଚ୍ଚ ୨୫ ତାତିଖରେ ସଫଳତାର ସହ ବ୍ଲାଷ୍ଟ କରାଯାଇଥିଲେ ସୁଦ୍ଧା ପୁଣି ଗୋଟିଏ ବୋମା ମିଳିବା ସଭିଙ୍କ ଭିତରେ କକୁଆ ଭୟ ସୃଷ୍ଟି କରିଛି। ତେବେ ଜବତ ବୋମା ଗୁଡିକ ବିଦେଶୀ କୌଶଳରେ ନିର୍ମିତ ହୋଇଥିବା ସୂଚନା ମିଳିଛି। ତିନିରାଜ୍ୟ ସୀମାରେ ପ୍ରବାହିତ ସୁବର୍ଣରେଖା ନିକଟବର୍ତ୍ତୀ ଅଞ୍ଚଳକୁ ଏକ କେନ୍ଦ୍ରୀୟ ଟିମ ସ୍ୱତନ୍ତ୍ର ଭାବେ ଯାଞ୍ଚ କଲେ ହୁଏତ ସୁବର୍ଣରେଖା ବାଲି ତଳୁ ଅଥବା ନିକଟ ସ୍ଥାନ ଗୁଡିକରେ ଆହୁରି ବିସ୍ଫୋରକ ମିଳିପାରେ ବୋଲି ଅଞ୍ଚଳବାସୀ କହିଛନ୍ତି। ଏନେଇ ଝାରଖଣ୍ଡ ଓ ଓଡିଶା ରାଜ୍ୟର ପ୍ରଶାସନ ମିଳିତ ଭାବେ ପ୍ରୟାସ କରିବା ଆବଶ୍ୟକ ହୋଇଛି।

ପୂର୍ବରୁ ଯେଉଁ ଦୁଇଟି ଜୀବନ ବୋମା ମିଳିଥିଲା ତାହାର ପ୍ରାଥମିକ ତଦନ୍ତରୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଆମେରିକୀୟ ବୋମା ବୋଲି ସୂଚନା ମଳିଥିଲା । ଗୋଟିଏର ଓଜନ ପ୍ରାୟ ୫୦୦ ପାଉଣ୍ଡ ବା ୨୨୭ କିଲୋଗ୍ରାମ ରହିଥିଲା । ଗ୍ୟାସ୍ ସିଲିଣ୍ଡର ଭଳି ଦେଖାଯାଉଥିବା ଏହି ବୋମା ଉପରେ ସ୍ପଷ୍ଟ ଭାବରେ ଆମେରିକାନ ମେଡ ବୋଲି ଲେଖାଯାଇଛି । ଏହା ଏକ ‘ଜେନେରାଲ୍ ପର୍ପସ୍’ ବୋମା, ଯାହା ଅତୀତରେ କୌଣସି ବିମାନରୁ ଖସି ନଦୀ ବାଲିରେ ପୋତି ହୋଇ ରହିଯାଇଥିଲା ଏବଂ ବିସ୍ଫୋରଣ ହୋଇନଥିଲା । ଯାହାକି ଖରା ଦିନରେ ପାଣି କମିଯିବା ପରେ ଲୋକଙ୍କ ନଜରକୁ ଆସିଛି।

Leave a Reply

Your email address will not be published. Required fields are marked *