ବୌଦ୍ଧ ରେ ପ୍ରଥମ ଅଂଶୁଘାତ ମୃତ୍ୟୁ

ବୌଦ୍ଧ ଜିଲ୍ଲାରେ ତୀବ୍ର ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଆସିଲା ପ୍ରଥମ ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ। ବୌଦ୍ଧ ବ୍ଲକ ଅନ୍ତର୍ଗତ ବହିରା ଗ୍ରାମର ସୁଶାନ୍ତ ମାଝୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଅସୁସ୍ଥ ଅବସ୍ଥାରେ ତାଙ୍କୁ ବାଉଁଶୁଣୀ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ସୂଚନା ଅନୁଯାୟୀ, ବହିରା ଗ୍ରାମର ସୁଶାନ୍ତ ମାଝୀ ଆଜି ତାଙ୍କ ଘରକୁ ଆସିଥିବା ଶଶୁରଙ୍କୁ ଛାଡ଼ି ଫେରୁଥିବା ବେଳେ ବାଟରେ ଅସୁସ୍ଥ ଅନୁଭବ କରିଥିଲେ। ପରେ ସେ ରଙ୍ଗମାଟିଆ ଗାଁରେ ଜଣେ ସମ୍ପର୍କୀୟଙ୍କ ଘରେ କିଛି ସମୟ ବିଶ୍ରାମ ନେଇଥିଲେ। ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଅଧିକ ଖରାପ ହୋଇଯାଇଥିବା ବେଳେ ସମ୍ପର୍କୀୟମାନେ  ଡାକିଥିଲେ ମଧ୍ୟ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ।

ପରେ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବାଉଁଶୁଣୀ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ସୁଶାନ୍ତଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି।

ଏପଟେ, ତୀବ୍ର ଖରା ଓ ଗରମ ଯୋଗୁଁ ଅଂଶୁଘାତରେ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *