ରାଜ୍ୟବ୍ୟାପୀ ବନ୍ଦ ରହିଲା ମେଡ଼ିସିନ ଦୋକାନ, ଔଷଧ ପାଇଁ ହନ୍ତସନ୍ତ ହେଲେ ଲୋକେ

ଅଲ୍ ଇଣ୍ଡିଆ ଅର୍ଗାନାଇଜେସନ୍ ଅଫ୍ କେମିଷ୍ଟସ୍ ଆଣ୍ଡ ଡ୍ରଗିଷ୍ଟସ୍ (AIOCD) ଙ୍କ ଆହ୍ୱାନରେ ଆଜି ରାଜ୍ୟବ୍ୟାପୀ ମେଡ଼ିସିନ ଦୋକାନ ବନ୍ଦ ରହିଥିବାରୁ ସାଧାରଣ ଲୋକ ଚରମ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସକାଳୁ ସକାଳୁ ଔଷଧ କିଣିବା ପାଇଁ ଆସିଥିବା ରୋଗୀ ଓ ସେମାନଙ୍କ ପରିବାର ଲୋକେ ବନ୍ଦ ଦୋକାନ ଦେଖି ହତାଶ ହୋଇଥିଲେ । ବିଶେଷକରି ଦୈନିକ ଔଷଧ ଖାଉଥିବା ବୃଦ୍ଧ ରୋଗୀ, ଡାଏବେଟିଜ୍‌, ବ୍ଲଡ୍ ପ୍ରେସର ଓ ଅନ୍ୟାନ୍ୟ ଗୁରୁତର ରୋଗୀମାନେ ବହୁତ ହଇରାଣ ହୋଇଥିବା ଦେଖାଯାଇଛି । ମେଡ଼ିସିନ ଦୋକାନ ବନ୍ଦ ଥିବାରୁ ଲୋକମାନେ ସରକାରୀ ମେଡିକାଲ ଭିତରେ ଥିବା “ନିରାମୟୀ” ଔଷଧ ବିତରଣ କେନ୍ଦ୍ରକୁ ଧାଉଥିଲେ । ଫଳରେ ସେଠାରେ ଭୟଙ୍କର ଭିଡ଼ ଦେଖିବାକୁ ମିଳିଥିଲା । ଲୋକମାନେ ଦୀର୍ଘ ସମୟ ଧରି ଧାଡିରେ ଛିଡ଼ା ହୋଇ ଔଷଧ ନେବା ପାଇଁ ଅପେକ୍ଷା କରୁଥିଲେ । କେତେକ ସ୍ଥାନରେ ଧକ୍କାମୁକ୍କି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିବା ସୂଚନା ମିଳିଛି । ଦୂରଦୂରାନ୍ତରୁ ଆସିଥିବା ରୋଗୀମାନେ ଗୋଟିଏ ଔଷଧ ପାଇଁ ବିଭିନ୍ନ ସ୍ଥାନ ଘୁରିବାକୁ ପଡ଼ିଥିଲା । ଛୋଟ ଶିଶୁ ଓ ବୃଦ୍ଧଙ୍କୁ ନେଇ ଆସିଥିବା ପରିବାର ଲୋକେ ମଧ୍ୟ ବହୁତ ଅସୁବିଧା ଭୋଗିଥିଲେ । ଅନେକ ରୋଗୀ ଅଭିଯୋଗ କରିଥିଲେ ଯେ, ଜରୁରୀ ସମୟରେ ଔଷଧ ନମିଳିବା ତାଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଛି । ଔଷଧ ବ୍ୟବସାୟୀ ସଂଘ ପକ୍ଷରୁ ଇ-ଫାର୍ମାସି ଓ ଅନଲାଇନ୍ ଔଷଧ ବିକ୍ରି ବିରୋଧରେ ଏହି ବନ୍ଦ ଡାକରା ଦିଆଯାଇଥିବା ବେଳେ, ଏହାର ସିଧାସଳଖ ପ୍ରଭାବ ସାଧାରଣ ରୋଗୀଙ୍କ ଉପରେ ପଡ଼ିଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *