ଜିଲ୍ଲାର ଦୁଇଦିନିଆ ଗସ୍ତରେ ଆସିଥିବା ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ସମ୍ବଲପୁର ଲୋକସଭା ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ଏବଂ ଦେବଗଡ଼ ବିଧାୟକ ଶ୍ରୀ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଆଜି ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ।
ଏହି ଅବସରରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ, ଦେବଗଡ଼ ମହାବିଦ୍ୟାଳୟର ଛାତ୍ର-ଛାତ୍ରୀ ନିବାସର ଶୁଭ ଉଦଘାଟନ ସହିତ ପ୍ରଧାନପାଟରେ ମଡେଲ ସ୍ମଶାନର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ପରେ ପ୍ରଧାନପାଟ ବଡବାଗିଚାରେ ଆୟୋଜିତ ସାଧାରଣ ସଭାରେ ଅତିଥିମାନେ ଯୋଗଦେଇଥିଲେ।
ଜିଲ୍ଲାପାଳ ଶ୍ରୀ କବିନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବିଶାଳ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ ପ୍ରଧାନ ଯୋଗଦେଇ ଜିଲ୍ଲାର ୧୫ଟି ବିଭାଗର ୬୩ଟି ପ୍ରକଳ୍ପର ଶୁଭ ଉଦଘାଟନ ଓ ୧୦ଟି ବିଭାଗର ୬୧ଟି ପ୍ରକଳ୍ପର ଶିଳାନ୍ୟାସ ଡିଜିଟାଲ ମାଧ୍ୟମରେ କରିଥିଲେ।
ସମୁଦାୟ ୧୨୪ଟି ପ୍ରକଳ୍ପ ପାଇଁ ମୋଟ ୨୭୮ କୋଟି ୪୯ ଲକ୍ଷ ୭୫ ହଜାର ଟଙ୍କାର ବ୍ୟୟ ଅଟକଳ ରହିଛି। ଏହି ପ୍ରକଳ୍ପମାନଙ୍କ ମାଧ୍ୟମରେ ଦେବଗଡ଼ ଜିଲ୍ଲାକୁ ରାଜ୍ୟରେ ଏକ ଅଗ୍ରଣୀ ଓ ବିକଶିତ ଜିଲ୍ଲାରୂପେ ଗଢ଼ି ତୋଳିବା ପାଇଁ ସେ ପ୍ରତିଶ୍ରୁତି ଜଣାଇଥିଲେ ଓ ସାଧାରଣ ଲୋକଙ୍କ ସହଯୋଗ ଆହ୍ୱାନ କରିଥିଲେ।
ଏହାସହିତ ଯୋଗ୍ୟ ହିତାଧିକାରୀମାନଙ୍କୁ ବିଭିନ୍ନ ସରକାରୀ ଯୋଜନାର ଲାଭ ମଧ୍ୟ ବଣ୍ଟନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରାସନ୍ କାର୍ଡ, ଜଙ୍ଗଲ ଜମି ପଟ୍ଟା, ଘରବାରି ପଟ୍ଟା, ମଧୁବାବୁ ପେନସନ, ବସୁନ୍ଧରା ଓ ପ୍ରାଣୀସମ୍ପଦ ଯୋଜନାରେ ଲାଭାନ୍ୱିତ ହୋଇଥିଲେ।
ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ୧୦ ଜଣଙ୍କୁ ୫ ଲକ୍ଷ ଟଙ୍କା ବିବାହ ସହାୟତା, ୨୧ ଜଣଙ୍କୁ ୨,୦୨,୨୦୦ ଟଙ୍କା ଶିକ୍ଷା ସହାୟତା ଓ ସାମାଜିକ ସୁରକ୍ଷା ବୋର୍ଡ ଅଧୀନରେ ୧୫ ଜଣ ମୃତ ଶ୍ରମିକଙ୍କ ନାମିନୀଙ୍କୁ ୩୦ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଥିଲା। ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରେବେକା ବିଲୁଙ୍ଗ ଧନ୍ୟବାଦ ଅର୍ପଣ କରିଥିଲେ।
