ରତ୍ନବେଦିରୁ ସ୍ନାନବେଦିକୁ ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି, ଅପରାହ୍ଣ ୪ରୁ ହାତୀବେଶରେ ଦେବେ ଦର୍ଶନ

ରତ୍ନବେଦିରୁ ସ୍ନାନବେଦିକୁ ବିଜେ ହେଲେ ଜଗତ ଠାକୁର। ସ୍ନାନବେଦିରେ କରିବେ ଲୀଳାଖେଳା । ବଡ଼ଦାଣ୍ଡରୁ ମହାମାନବୀୟ ସ୍ନାନଲୀଳା ଦର୍ଶନ କରିବେ ଶ୍ରଦ୍ଧାଳୁ । ଦୁର୍ଲଭ ହାତୀବେଶରେ ଦର୍ଶନ ଦେବେ ମର୍ତ୍ତ୍ୟ ବୈକୁଣ୍ଠ ଅଧିପତି । ଆଜି ଭୋର୍‌ ୫ରୁ ପହଣ୍ଡି ହୋଇ ସ୍ନାନବେଦିରେ ଚତୁର୍ଦ୍ଧାମୂର୍ତ୍ତି ବିଜେ କରିଛନ୍ତି । ଅପରାହ୍ଣ ୪ରୁ ହାତୀବେଶ ହେବା ପରେ ସନ୍ଧ୍ୟା ସାଢ଼େ ୭ରୁ ସାହାଣମେଲା ଦର୍ଶନ କରିବେ ଭକ୍ତ ।


ଆଜି ଦିନ ୧୨ଟା ୨୦ରୁ ୨ଟା ମଧ୍ୟରେ ଜଳ ବିଜେ, ପୂଜା ଓ ସ୍ନାନବିଧି ଅନୁଷ୍ଠିତ ହେବ। ସ୍ନାନ ମଣ୍ଡପରେ ଜଳ ବିଜେ ପୂର୍ବରୁ ପ୍ରତିହାରୀ ସେବକମାନେ ଟେରା ବାନ୍ଧି ଶୋଧ କରିଛନ୍ତି । ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଦର୍ଶନ ସାରି ଶ୍ରୀମନ୍ଦିରରୁ ପ୍ରତ୍ୟାବର୍ତ୍ତନ ପରେ ଗଜପତି ମହାରାଜ ପାରମ୍ପରିକ ରୀତିରେ ଶ୍ରୀନଅରରୁ ଛେରା ପହଁରା ପାଇଁ ବିଜେ । ସାଢ଼େ ୩ଟାରେ ଗଜପତି ରାଜନୀତି ଓ ସ୍ନାନମଣ୍ଡପ ଛେରା ପହଁରା କରିବେ। ଅପରାହ୍ଣ ୪ଟାରୁ ୫ଟା ମଧ୍ୟରେ ହାତୀ ବେଶ ଅନୁଷ୍ଠିତ ହେବ । ସନ୍ଧ୍ୟା ସାଢ଼େ ୭ଟାରୁ ରାତି ସାଢ଼େ ୯ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନର ସୁଯୋଗ ମିଳିବ । ରାତି ୧୦ଟା ବେଳକୁ ହାତୀ ବେଶ ମଇଲମ ହେବ। ରାତି ସାଢ଼େ ୧୧ଟାରୁ ୨ଟା ମଧ୍ୟରେ ବାହୁଡ଼ା ପହଣ୍ଡି ଅନୁଷ୍ଠିତ ହେବ। ରାତି ସାଢ଼େ ୨ଟା ବେଳକୁ ସୁନାଚିତା ଓ ରାହୁରେଖା ମଇଲମ କରାଯିବ ବୋଲି ନୀତି ନିର୍ଘଣ୍ଟ କରାଯାଇଛି ।


ସୁରକ୍ଷା ପାଇଁ ୪ ଜଣ ଏସ୍‌ପି/କମାଣ୍ଡାଣ୍ଟ, ୪୬୦ ଅଧିକାରୀଙ୍କ ସମେତ ୭୯ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଛନ୍ତି । ୧୪ ଜଣ ଅତିରିକ୍ତ ଏସ୍‌ପି/ଡେପୁଟି କମାଣ୍ଡାଣ୍ଟ, ୮୩ ଇନ୍ସପେକ୍ଟର, ୧୦୫ ଏସ୍‌ଆଇ/ଏଏସ୍‌ଆଇ ଦାୟିତ୍ବରେ ରହିବେ। ସୁରକ୍ଷା ଦୃଷ୍ଟିରୁ ଶ୍ରୀମନ୍ଦିର ଭିତରେ ୧୫୨, ଚତୁଃପାର୍ଶ୍ବରେ ୨୫୦ ଓ ବଡ଼ଦାଣ୍ଡରେ ମାର୍କେଟ୍‌ ଛକ ପର୍ଯ୍ୟନ୍ତ ୩୦ଟି ସିସିଟିଭି କ୍ୟାମେରା ଲଗାଯାଇଛି।

Leave a Reply

Your email address will not be published. Required fields are marked *