ବିହାରରେ ବଢ଼ୁଛି ବନ୍ୟା ବିପଦ, ୧୩ଟି ଜିଲ୍ଲା ପ୍ରଭାବିତ

ବନ୍ୟା ପାଣିରେ ଉବୁଟୁବୁ ବିହାର । ବିହାରରେ ବନ୍ୟା ସ୍ଥିତି ଦିନକୁ ଦିନ ଗମ୍ଭୀର ହେଉଛି । ୧୩ଟି ଜିଲ୍ଲାରେ ୩୪ ଲକ୍ଷରୁ ଅଧିକ ଲୋକ ବନ୍ୟା ପ୍ରଭାବିତ । ଭାଗଲପୁରର ସୁଲତାନଗଞ୍ଜରେ ଗଙ୍ଗା ନଦୀ ପୂର୍ବର ହାଇଏଷ୍ଟ ଫ୍ଲଡ୍ ଲେଭଲ୍‌କୁ ଟପିଯାଇଛି । ଏନେଇ ତଳମୁଣ୍ଡ ଅଞ୍ଚଳ ପାଇଁ ସତର୍କତା ଜାରି ହୋଇଛି । ପାଟନାରୁ ଭାଗଲପୁର, ବୈଶାଳୀରୁ ମୁଙ୍ଗେର ଅନେକ ଅଞ୍ଚଳରେ ଜଳସ୍ତର ବଢ଼ିବା ସହ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଛି । ମୋଟ ୧୩ଟି ଜିଲ୍ଲାର ୪୮୦ଟି ଗ୍ରାମ ପଞ୍ଚାୟତରେ ବନ୍ୟାର ପ୍ରଭାବ ପଡ଼ିଛି। ସବୁଠାରୁ ବଡ଼ ଚିନ୍ତାର କାରଣ ହୋଇଛି ଗଙ୍ଗା । ଏହା ୨୦୨୧ ଅଗଷ୍ଟ ୧୭ରେ ରେକର୍ଡ ହୋଇଥିବା ୩୬.୭୫ ମିଟରର ପୂର୍ବତନ ହାଇଏଷ୍ଟ ଫ୍ଲଡ୍ ଲେଭଲ୍‌କୁ ଟପିଯାଇଛି । ତେବେ ଏବେ ଗଙ୍ଗାର ଟ୍ରେଣ୍ଡ ସ୍ଥିର ରହିଥିବା କହିଛି ବିପର୍ଯ୍ୟୟ ପରିଚାଳନା ବିଭାଗ । ଗଙ୍ଗା ସହ ଗଣ୍ଡକ, କୋସି, ବୁଢ଼ୀ ଗଣ୍ଡକ, ବାଗମତୀ, ପୁନପୁନ ଓ ଘାଘରା ନଦୀ ମଧ୍ୟ ଅନେକ ସ୍ଥାନରେ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି ।

୧୩ଟି ଜିଲ୍ଲାରେ ୩୪ ଲକ୍ଷରୁ ଅଧିକ ଲୋକ ବନ୍ୟାରେ ପ୍ରଭାବିତ ହେଉଛନ୍ତି । ବନ୍ୟା ପ୍ରଭାବିତଙ୍କ ପାଇଁ ଚାଲିଛି ବ୍ୟାପକ ରିଲିଫ୍ ଅପରେସନ୍। ବିଭିନ୍ନ ଜିଲ୍ଲାରେ ୪୩୨ଟି କମ୍ୟୁନିଟି କିଚେନ୍ ଚାଲୁ ରହିଛି । ୧୪ଟି ରିଲିଫ୍ କ୍ୟାମ୍ପରେ ଲୋକଙ୍କ ରହିବା, ଖାଦ୍ୟ ଓ ଚିକିତ୍ସା ବ୍ୟବସ୍ଥା କରାଯାଇଛି । ଉଦ୍ଧାର ଓ ଯାତାୟାତ ପାଇଁ ୧,୮୩୨ଟି ଡଙ୍ଗା ନିୟୋଜିତ ହୋଇଛି। ୨୭ଟି SDRF ଏବଂ ୧୦ଟି NDRF ଟିମ୍ ମୁତୟନ ଅଛନ୍ତି ।

Leave a Reply

Your email address will not be published. Required fields are marked *