ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ମଧ୍ୟ ଗୃହରେ ଦେଖିବାକୁ ମିଳିଛି ହାଇଭୋଲଟେଜ୍ ଡ୍ରାମା । ଗୃହ ଆରମ୍ଭ ହେବାର ମାତ୍ର କିଛି ସମୟ ମଧ୍ୟରେ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ବିଧାନସଭା କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଫଳରେ ମାତ୍ର ୭ ମିନିଟ୍ ଚାଲିବା ପରେ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରାଯାଇଛି।

ଗୃହ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ନିଜ ନିଜ ପ୍ରସଙ୍ଗ ନେଇ ଗୃହର ମଧ୍ୟଭାଗକୁ ଆସି ପ୍ରତିବାଦ କରିଥିଲେ। କଂଗ୍ରେସ ବିଧାୟକମାନେ MMDR ପ୍ରସଙ୍ଗକୁ ନେଇ ଜୋରଦାର ବିରୋଧ କରିଥିଲେ। କିଛି କଂଗ୍ରେସ ବିଧାୟକ ଦେହରେ ବ୍ୟାନର ପିନ୍ଧି ପ୍ରତିବାଦ କରିଥିଲେ। ବ୍ୟାନରରେ MMDR ସମ୍ପର୍କିତ ଦାବି ଓ ବାର୍ତ୍ତା ଲେଖା ରହିଥିଲା। ଏହାକୁ ନେଇ ସେମାନେ ନାରାବାଜି କରିବା ସହ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ଅନ୍ୟପଟେ ବିଜେଡି ବିଧାୟକମାନେ ପାଠ୍ୟପୁସ୍ତକରେ ଥିବା ତ୍ରୁଟି ପ୍ରସଙ୍ଗ ଉଠାଇ ହୋହାଲ୍ଲା କରିଥିଲେ। ଏହି ପ୍ରସଙ୍ଗରେ ବିଜେଡି ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ। ଫଳରେ ଶାସକ ଓ ବିରୋଧୀ ସଦସ୍ୟଙ୍କ ମଧ୍ୟରେ ଗୃହ ଭିତରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଦେଖାଦେଇଥିଲା। ହଟ୍ଟଗୋଳ ମଧ୍ୟରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଟେବୁଲ୍ ଉପରକୁ ଚଢ଼ି ପ୍ରତିବାଦ କରିଥିବା ଦେଖାଯାଇଥିଲା। ଗୃହରେ ବିରୋଧୀ ସଦସ୍ୟଙ୍କ ହଙ୍ଗାମା ବଢ଼ିବାରୁ ବାଚସ୍ପତି ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରିଯିବାକୁ ଅନୁରୋଧ କରିଥିଲେ। କିନ୍ତୁ ବିରୋଧିଙ୍କ ପ୍ରତିବାଦ ଜାରି ରହିବାରୁ ସ୍ୱାଭାବିକ ଭାବେ ଗୃହ କାର୍ଯ୍ୟ ଚଳାଇବା ସମ୍ଭବ ହୋଇନଥିଲା।
ଶେଷରେ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରାଯାଇଛି। ମୌସୁମୀ ଅଧିବେଶନର ପ୍ରଥମ ଦିନ ପରେ ଦ୍ୱିତୀୟ ଦିନରେ ମଧ୍ୟ ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିବାରୁ ଗୃହକାର୍ଯ୍ୟ ପ୍ରଭାବିତ ହୋଇଛି। ଏବେ ଅପରାହ୍ନ ୪ଟାରେ ଗୃହ ପୁଣି ବସିବା ପରେ ପରିସ୍ଥିତି କିପରି ରହୁଛି, ତାହା ଉପରେ ନଜର ରହିଛି।
