ବାତ୍ୟାରେ ଭାସିବ ଓଡିଶା, ମାଡ଼ି ଆସୁଛି ମହା ବିପଦ!

ବଙ୍ଗୋପସାଗରରେ ଗଭୀର ଅବପାତ ଅଧିକ ସକ୍ରିୟ ହୋଇ ଧୀରେ ଧୀରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଥିବାରୁ ଓଡ଼ିଶା ଉପରେ ବଢ଼ିଛି ଝଡ଼ବର୍ଷାର ବିପଦ। ସମୁଦ୍ର ମଧ୍ୟରେ ଅବପାତର ପ୍ରଭାବରେ ପବନର ବେଗ ବଢ଼ୁଥିବା ବେଳେ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର ଅନେକ ଜିଲ୍ଲାରେ ଭାରୀରୁ ଅତିଭାରୀ ବର୍ଷା ଆଶଙ୍କା ସୃଷ୍ଟି ହୋଇଛି। ପାଣିପାଗ ବିଭାଗର ଆକଳନ ଅନୁସାରେ, ଏହି ଅବପାତ ଆଜି ରାତି କିମ୍ବା ଗୁରୁବାର ସକାଳ ସମୟରେ ବିଶାଖାପାଟଣାମ୍‌ ଓ ଗୋପାଳପୁର ମଧ୍ୟବର୍ତ୍ତୀ ଅଞ୍ଚଳରେ ସ୍ଥଳଭାଗ ଛୁଇଁପାରେ।

ଗତ ୬ ଘଣ୍ଟା ଧରି ଘଣ୍ଟାପ୍ରତି ପ୍ରାୟ ୫ କିଲୋମିଟର ବେଗରେ ଅବପାତ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି। ବର୍ତ୍ତମାନ ଏହା ଗୋପାଳପୁରର ଦକ୍ଷିଣରେ ପ୍ରାୟ ୧୫୦ କିଲୋମିଟର, ପୁରୀର ଦକ୍ଷିଣ-ଦକ୍ଷିଣପୂର୍ବରେ ପ୍ରାୟ ୨୩୦ କିଲୋମିଟର ଏବଂ କଳିଙ୍ଗପଟନମ୍‌ରୁ ପ୍ରାୟ ୬୦ କିଲୋମିଟର ଦୂରରେ ରହିଛି। ସେହିପରି ବିଶାଖାପାଟଣାମ୍‌ଠାରୁ ଏହାର ଦୂରତା ପ୍ରାୟ ୧୫୦ କିଲୋମିଟର ରହିଛି। ସମୁଦ୍ର ମଧ୍ୟରେ ଅବପାତ ଯୋଗୁଁ ପବନର ତାଣ୍ଡବ ମଧ୍ୟ ବଢ଼ିବାରେ ଲାଗିଛି । ଘଣ୍ଟାପ୍ରତି ୫୫ରୁ ୬୫ କିଲୋମିଟର ବେଗରେ ପବନ ବହିବା ସହ ଝଟକା ପବନର ବେଗ ୭୫ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ । ସ୍ଥଳଭାଗ ଛୁଇଁବା ପରେ ଦକ୍ଷିଣ ଓଡ଼ିଶାରେ ଏହାର ପ୍ରଭାବ ଅଧିକ ଅନୁଭୂତ ହେବାର ଆଶଙ୍କା ରହିଛି । ବର୍ଷା ସହିତ ଝଡ଼ପବନ ଓ ବଜ୍ରପାତ ନେଇ ମଧ୍ୟ ସତର୍କ କରାଯାଇଛି ।

ପାଣିପାଗ ବିଭାଗ ପକ୍ଷରୁ ଆଜି ଚାରିଟି ଜିଲ୍ଲା ପାଇଁ ରେଡ୍ ୱାର୍ନିଂ ଜାରି କରାଯାଇଛି। କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ନିଂ ଜାରି ହୋଇଛି । ଏହି ଅଞ୍ଚଳଗୁଡ଼ିକରେ ବର୍ଷା ସାଙ୍ଗକୁ ବଜ୍ରପାତ ଏବଂ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ଝଡ଼ପବନ ବହିବାର ଆଶଙ୍କା ରହିଛି।

ଅନ୍ୟପଟେ, ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଓ ପରବର୍ତ୍ତୀ ସମୟରେ ଏହାର ଗଭୀର ଅବପାତ ରୂପ ନେବା ପରେ ଉପକୂଳ ଓଡ଼ିଶାରେ ମଧ୍ୟ ସତର୍କତା ବଢ଼ାଯାଇଛି। ପାରାଦ୍ୱୀପରେ ଗତ ୨୪ ଘଣ୍ଟା ମଧ୍ୟରେ ୫୮ ମିଲିମିଟର ବର୍ଷା ରେକର୍ଡ ହୋଇଛି । ପ୍ରବଳ ବର୍ଷା ଓ ପବନକୁ ନଜରରେ ରଖି ବିଭିନ୍ନ ଜିଲ୍ଲା ପ୍ରଶାସନ ମଧ୍ୟ ସତର୍କ ରହିଛି । ସ୍ଥିତିକୁ ଦୃଷ୍ଟିରେ ରଖି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ବିଶେଷକରି ବଜ୍ରପାତ ସମୟରେ ଖୋଲା ସ୍ଥାନରେ ନ ରହିବା, ଅତ୍ୟାବଶ୍ୟକ ନଥିଲେ ଘରୁ ବାହାରକୁ ନଯିବା ଏବଂ ପାଣିପାଗ ବିଭାଗ ଓ ସ୍ଥାନୀୟ ପ୍ରଶାସନର ସତର୍କତାକୁ ଅନୁସରଣ କରିବା ଜରୁରୀ। ଆସନ୍ତା କିଛି ଘଣ୍ଟା ଅବପାତର ଗତିପଥ ଓ ତୀବ୍ରତା ଉପରେ ନଜର ରଖିବା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଜାରି ରହିଛି।

Leave a Reply

Your email address will not be published. Required fields are marked *