ମହାନଦୀରେ ଆସୁଛି ଛୋଟ ବନ୍ୟା, ହୀରାକୁଦରୁ ୨୪ଟି ଗେଟ୍ ଦେଇ ଜଳ ନିଷ୍କାସନ

ମହାନଦୀ ଓ ଏହାର ଶାଖା ନଦୀଗୁଡ଼ିକରେ ଆସୁଛି ଛୋଟ ବନ୍ୟା। ଚଳିତ ବର୍ଷ ମହାନଦୀରେ ଏହା ହେବ ଚତୁର୍ଥ ବନ୍ୟା। ଲଘୁଚାପ ପ୍ରଭାବରେ ମହାନଦୀର ଜଳସ୍ତର ବଢ଼ିଥିବା ବେଳେ, ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ନଦୀରେ ଜଳ ପ୍ରବାହ ବୃଦ୍ଧି ପାଇଛି। ଏନେଇ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ ସୂଚନା ଦେଇଛନ୍ତି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୮.୧୯ ଫୁଟ ରହିଛି। ହୀରାକୁଦରୁ ୨୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ପରିସ୍ଥିତି ଆବଶ୍ୟକ କଲେ ଆଉ କିଛି ଗେଟ୍ ଖୋଲାଯାଇପାରେ ବୋଲି ସୂଚନା ମିଳିଛି।

ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ଅନୁସାରେ, ଆଜି ମଧ୍ୟରାତ୍ରି ସୁଦ୍ଧା ମୁଣ୍ଡଳୀରେ ପ୍ରାୟ ୭ ଲକ୍ଷ କ୍ୟୁସେକ୍ ଜଳ ପହଞ୍ଚିପାରେ। ଆସନ୍ତାକାଲି ସକାଳ ୯ଟା ସୁଦ୍ଧା ମୁଣ୍ଡଳୀ ଦେଇ ପ୍ରାୟ ୮ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବାର ଆଶଙ୍କା ରହିଛି। ଏହାର ପ୍ରଭାବରେ କାଠଯୋଡ଼ି, କୁଆଖାଇ, ଦେବୀ, କୁଶଭଦ୍ରା ଓ ଦୟା ନଦୀରେ ବନ୍ୟା ଆସିପାରେ। କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ଅଞ୍ଚଳ ପ୍ରଭାବିତ ହେବା ଆଶଙ୍କା ରହିଛି। ବାଙ୍କୀ, ଆଠଗଡ଼ ଓ ବଡ଼ମ୍ବା ଅଞ୍ଚଳରେ ମଧ୍ୟ ଜଳମଗ୍ନ ସ୍ଥିତି ସୃଷ୍ଟି ହୋଇପାରେ। ଜଳବନ୍ଦୀ ସ୍ଥିତି ପ୍ରାୟ ୨୪ରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ରହିପାରେ ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *