ଭୟଙ୍କର ହିମସ୍ଖଳନ, ୫,୦୦୦ରୁ ଅଧିକ ଲୋକ ନିଖୋଜ

ପଶ୍ଚିମ ନେପାଳରେ ଭୟଙ୍କର ହିମସ୍ଖଳନ। ତିବ୍ବତ ସୀମା ନିକଟରେ ଥିବା ହିମଲୁଙ୍ଗ ହିମାଲର ବେସ୍ କ୍ୟାମ୍ପରେ ରବିବାର ସକାଳେ ଘଟିଛି ବଡ଼ ଅଘଟଣ। ହିମସ୍ଖଳନରେ ଅତି କମରେ ୧୦ ଜଣ ନିଖୋଜ ଥିବା ସୂଚନା ମିଳିଛି। ନିଖୋଜଙ୍କ ମଧ୍ୟରେ ଆୟୋଜକ ମିଙ୍ଗମା ଗ୍ୟାଲଜେ ଶେର୍ପାଙ୍କ କିଚେନର ଦୁଇଜଣ କର୍ମଚାରୀ ମଧ୍ୟ ଥିବା ଜଣାପଡ଼ିଛି। ଗତ ସପ୍ତାହରେ ଖରାପ ପାଣିପାଗ ନେଇ ସତର୍କ ସୂଚନା ଜାରି ହେବା ପରେ ଅଭିଯାନକାରୀ ଦଳ ଓ ଦଉଡ଼ି ଲଗାଇବାରେ ନିୟୋଜିତ ଟିମକୁ ସେମାନଙ୍କ ସ୍ଥାନରୁ ଖାଲି କରି ଦିଆଯାଇଥିଲା । ତେବେ କିଛି ଲୋକ ସେଠାରେ ରହିଯାଇଥିଲେ। ଗତ କିଛି ଦିନ ଧରି ପାହାଡ଼ିଆ ଅଞ୍ଚଳରେ ଲଗାତାର ତୁଷାରପାତ ହେଉଥିବାରୁ ପର୍ବତାରୋହଣ ଅଭିଯାନ ମଧ୍ୟ ପ୍ରଭାବିତ ହୋଇଛି।

ଖରାପ ପାଣିପାଗକୁ ଦୃଷ୍ଟିରେ ରଖି ଟ୍ରେକର ଓ ପର୍ବତାରୋହୀଙ୍କୁ ନିଜ ଅଭିଯାନ ସ୍ଥଗିତ ରଖିବାକୁ ପର୍ଯ୍ୟଟନ ଅଧିକାରୀମାନେ ପରାମର୍ଶ ଦେଇଛନ୍ତି। ନେପାଳ ପର୍ଯ୍ୟଟନ ବିଭାଗ ମଧ୍ୟ ଆଲର୍ଟ ଜାରି କରି ପର୍ଯ୍ୟଟନ ସମ୍ବନ୍ଧୀୟ କାର୍ଯ୍ୟକଳାପ ବନ୍ଦ ରଖିବାକୁ କହିଛି । ଏପଟେ ନେପାଳରେ ଖରାପ ପାଣିପାଗ ଜାରି ରହିଛି। ପାହାଡ଼ିଆ ଅଞ୍ଚଳରେ ପ୍ରବଳ ବରଫପାତ ସହ ପାହାଡ଼ିଆ ଓ ସମତଳ ଅଞ୍ଚଳରେ ଲଗାତାର ବର୍ଷା ହେଉଛି । ବର୍ଷା ଓ ବରଫପାତ ଯୋଗୁଁ ଅନେକ ରାସ୍ତା ପ୍ରଭାବିତ ହୋଇଛି । କେତେକ ସ୍ଥାନରେ ଯାତାୟାତ ପାଇଁ ରାସ୍ତା ବନ୍ଦ କରାଯାଇଛି ।

ମନାଙ୍ଗ ଜିଲ୍ଲାରେ ଥିବା ୭,୧୨୬ ମିଟର ଉଚ୍ଚ ହିମଲୁଙ୍ଗ ହିମାଲ ଶିଖରକୁ ହେଲିକପ୍ଟର ଯୋଗେ ଯିବା ପାଇଁ ଅତିରିକ୍ତ ଅନୁମତି ଆବଶ୍ୟକ ହେଉଥିବାରୁ ଉଦ୍ଧାର କାର୍ଯ୍ୟରେ ମଧ୍ୟ ସମସ୍ୟା ଉପୁଜୁଛି। ନିଖୋଜ ଲୋକମାନେ ବିଭିନ୍ନ ଅଭିଯାନକାରୀ କମ୍ପାନୀ ସହ ଜଡ଼ିତ ଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ପୂର୍ବରୁ ଗତ ମାସରେ ରାସୁୱା ଅଞ୍ଚଳରେ ଭୟଙ୍କର ବନ୍ୟା ଆସିଥିଲା। ଏଥିରେ ୧,୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଏବଂ ୫,୦୦୦ରୁ ଅଧିକ ଲୋକ ନିଖୋଜ ହୋଇଥିବା ସୂଚନା ମିଳିଥିଲା।

Leave a Reply

Your email address will not be published. Required fields are marked *