ବାଲେଶ୍ୱରରୁ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି। ସେମାନଙ୍କୁ ନନ୍ଦନକାନନକୁ ଅଣାଯିବା ପରେ ବିଶେଷଜ୍ଞ ଓ ପ୍ରାଣୀ ଚିକିତ୍ସକଙ୍କ ତତ୍ତ୍ୱାବଧାନରେ ରଖାଯାଇଛି। ଇତିମଧ୍ୟରେ ସମସ୍ତ ଓରାଙ୍ଗଉଟାନଙ୍କର ରକ୍ତ ପରୀକ୍ଷା ସମ୍ପନ୍ନ ହୋଇଛି। ବୈଷୟିକ କମିଟି ପକ୍ଷରୁ ସେମାନଙ୍କର ଫୁଲ୍ ବଡି ଚେକ୍ଅପ୍ ମଧ୍ୟ କରାଯାଇଛି।

ଖୁବଶୀଘ୍ର ୫ଟି ଓରାଙ୍ଗଉଟାନଙ୍କର ଡିଏନଏ ପରୀକ୍ଷା କରାଯିବ। ରାଜ୍ୟ ବାହାରର ଏକ ସ୍ୱତନ୍ତ୍ର ଲ୍ୟାବରେ ଏହି ପରୀକ୍ଷା କରାଯିବାକୁ ଥିବା ସୂଚନା ମିଳିଛି। ଡିଏନଏ ପରୀକ୍ଷା ମାଧ୍ୟମରେ ସେମାନଙ୍କର ପରିଚୟ ଓ ଅନ୍ୟାନ୍ୟ ତଥ୍ୟ ସମ୍ପର୍କରେ ଅଧିକ ସ୍ପଷ୍ଟତା ମିଳିପାରେ। ଅନ୍ୟପକ୍ଷରେ, ଓରାଙ୍ଗଉଟାନ ଉଦ୍ଧାର ଘଟଣାର ତଦନ୍ତ ଏସ୍ଟିଏଫ୍ ପକ୍ଷରୁ ଜାରି ରହିଛି। ଡିଏନଏ ରିପୋର୍ଟ ସମେତ ତଦନ୍ତରୁ ମିଳିଥିବା ଅନ୍ୟାନ୍ୟ ତଥ୍ୟକୁ ଆଧାର କରି ରାଜ୍ୟ ସରକାର ପରବର୍ତ୍ତୀ ନିଷ୍ପତ୍ତି ନେବେ। ଓରାଙ୍ଗଉଟାନମାନେ ନନ୍ଦନକାନନରେ ରହିବେ ନା ସେମାନଙ୍କୁ ଅନ୍ୟତ୍ର ପଠାଯିବ, ସେନେଇ ଆଗାମୀ ଦିନରେ ନିଷ୍ପତ୍ତି ହେବ। ବର୍ତ୍ତମାନ ନନ୍ଦନକାନନରେ ସେମାନଙ୍କର ଉତ୍ତମ ରକ୍ଷଣାବେକ୍ଷଣ ସହ ଖାଦ୍ୟ, ଚିକିତ୍ସା ଓ ଆବଶ୍ୟକ ଯତ୍ନ ନିଆଯାଉଛି।
