ଶ୍ରୀ ଗଣେଶ ମହୋତ୍ସବ–୨୦୨୬ର ଭବ୍ୟ ଉଦ୍‌ଯାପନୀ ସମାରୋହ

ଭକ୍ତି, ଆନନ୍ଦ ଓ ସାମାଜିକ ଏକତାର ପବିତ୍ର ପରିବେଶ ମଧ୍ୟରେ ଶ୍ରୀ ଗଣେଶ ମହୋତ୍ସବ–୨୦୨୬ର ଭବ୍ୟ ଉଦ୍‌ଯାପନୀ ସମାରୋହ ତା. ୦୬ ଅକ୍ଟୋବର ୨୦୨୬, ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ବୁଦ୍ଧ ମନ୍ଦିର ଅଡିଟୋରିୟମ୍‌ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବ କଟକ–ଭୁବନେଶ୍ୱର ଯୁଗ୍ମ ନଗରୀ ଗଣେଶ ପୂଜା କମିଟି ପକ୍ଷରୁ ଆୟୋଜିତ ହୋଇଥିଲା।ଉଦ୍‌ଯାପନୀ ସମାରୋହର ଏକ ବିଶେଷ ଆକର୍ଷଣ ଥିଲା ସମାଜସେବା କ୍ଷେତ୍ରରେ ଦୀର୍ଘଦିନ ଧରି ନିଷ୍ଠା ଓ ନିସ୍ୱାର୍ଥପରତାର ସହ କାର୍ଯ୍ୟ କରିଆସୁଥିବା ବୟୋଜ୍ୟେଷ୍ଠ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯିବା।

ଏହି ଅବସରରେ ଭୂମିପୁତ୍ର ଏଜ୍ କେୟାର ସିନିଅର ସିଟିଜେନ ଫୋରମ (ଏରୋଡ୍ରମ ଏରିଆ ) ଚାରିଜଣ ବିଶିଷ୍ଟ ବୟୋଜ୍ୟେଷ୍ଠ ସମାଜସେବୀ—ଡା. ହୃଦାନନ୍ଦ ସାମନ୍ତ, ଶ୍ରୀ ରୋହିଣୀ ନନ୍ଦନ ମହାନ୍ତି, ଶ୍ରୀ ରୋହିତାଶ୍ୱ ଦଳେଇ ଓ ଶ୍ରୀ ବାସୁଦେବ ସାହୁଙ୍କୁ ସେମାନଙ୍କର ସମାଜ ପ୍ରତି ନିଷ୍ଠାପୂର୍ଣ୍ଣ ଅବଦାନ ଓ ସେବା କାର୍ଯ୍ୟ ପାଇଁ ‘ବିଶିଷ୍ଟ ବୟୋଜ୍ୟେଷ୍ଠ ସମାଜସେବୀ’ ଭାବେ ସମ୍ମାନିତ କରାଯାଇଥିଲା। ସମ୍ମାନିତ ବ୍ୟକ୍ତିବିଶେଷଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇ ସେମାନଙ୍କର ନିରବଚ୍ଛିନ୍ନ ସମାଜସେବା ପ୍ରତି ସମ୍ମାନ ଓ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ସେମାନଙ୍କର ଅନୁଭବ, ମାନବିକତା, ସେବା ମନୋଭାବ ଓ ସମାଜ ପ୍ରତି ଦାୟିତ୍ୱବୋଧ ଆଜିର ପିଢ଼ି ପାଇଁ ଏକ ଅନୁକରଣୀୟ ଉଦାହରଣ ବୋଲି ଉପସ୍ଥିତ ଅତିଥି ଓ ଭଦ୍ରମଣ୍ଡଳୀ ମତବ୍ୟକ୍ତ କରିଥିଲେ।

ଏହି ସମ୍ମାନ କେବଳ ଚାରିଜଣ ବୟୋଜ୍ୟେଷ୍ଠଙ୍କ ପ୍ରତି ଏକ ସମ୍ମାନ ନୁହେଁ; ବରଂ ବୟସ୍‌ର ଅନୁଭବକୁ ସମାଜର ସମ୍ପଦ ଭାବେ ସ୍ୱୀକୃତି ଦେବା ଏବଂ ବୟୋଜ୍ୟେଷ୍ଠମାନଙ୍କର ସମାଜସେବାକୁ ସମ୍ମାନ ଓ ପ୍ରୋତ୍ସାହନ ଦେବାର ଏକ ମହତ୍ତ୍ୱପୂର୍ଣ୍ଣ ପ୍ରୟାସ। ସମାରୋହରେ ଉପସ୍ଥିତ ସମସ୍ତେ ସମ୍ମାନିତ ସମାଜସେବୀମାନଙ୍କର ସୁସ୍ଥ, ନିରାମୟ, ଦୀର୍ଘ ଓ ମଙ୍ଗଳମୟ ଜୀବନ କାମନା କରିବା ସହିତ ଭବିଷ୍ୟତରେ ମଧ୍ୟ ସେମାନଙ୍କର ଅନୁଭବ ଓ ସେବା ସମାଜକୁ ଆଲୋକିତ କରୁ—ଏହି ଶୁଭେଚ୍ଛା ପ୍ରକାଶ କରିଥିଲେ। ଗଣେଶ ମହୋତ୍ସବର ଏହି ପବିତ୍ର ଅବସରରେ ବୟୋଜ୍ୟେଷ୍ଠ ସମାଜସେବୀମାନଙ୍କୁ ଦିଆଯାଇଥିବା ଏହି ସମ୍ମାନ ନିଶ୍ଚିତ ଭାବେ ସେବା, ସମ୍ମାନ ଓ ସାମାଜିକ ଏକତାର ଏକ ସୁନ୍ଦର ବାର୍ତ୍ତା ବହନ କରୁଛି।

Leave a Reply

Your email address will not be published. Required fields are marked *