ଓଡ଼ିଶା ମୁହାଁ ବାତ୍ୟା ‘ଅକଭାନ୍’! ବାତ୍ୟାର ଗତିପଥକୁ ନେଇ ବଢ଼ିଲା ଚିନ୍ତା। ନରସାପୁର ଓ ପୁରୀ ମଧ୍ୟରେ ହୋଇପାରେ ସ୍ଥଳଭାଗ ସ୍ପର୍ଶ। ବିଶେଷକରି କଳିଙ୍ଗପଟନମ୍ ଓ ଗୋପାଳପୁର ମଧ୍ୟରେ ଲ୍ୟାଣ୍ଡଫଲ୍ ନେଇ ଆକଳନ କରାଯାଉଛି। ଏପଟେ ବାତ୍ୟା ଆଉ ଅଧିକ ତୀବ୍ର ହେବାର ସମ୍ଭାବନା ନଥିବା ସ୍ପଷ୍ଟ କରିଛନ୍ତି IMD ଡିଜି। ତେବେ ବାତ୍ୟାର ପ୍ରଭାବରେ ନଭେମ୍ବର ୧୯ ଓ ୨୦ ତାରିଖରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ୨୦ରୁ ୩୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ଆଶଙ୍କା ରହିଛି।

ବଙ୍ଗୋପସାଗରରେ ସକ୍ରିୟ ରହିଛି ଭୀଷଣ ବାତ୍ୟା ‘ଅକଭାନ୍’। ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି। ବାତ୍ୟାର ଗତିପଥ ଓ ସମ୍ଭାବ୍ୟ ସ୍ଥଳଭାଗ ସ୍ପର୍ଶକୁ ନେଇ ପାଣିପାଗ ବିଭାଗ ନଜର ରଖିଛି। IMD ଡିଜିଙ୍କ ସୂଚନା ଅନୁସାରେ, ନଭେମ୍ବର ୨୦ ତାରିଖରେ ଏହା ସ୍ଥଳଭାଗ ସ୍ପର୍ଶ କରିବା ପରେ ଶୀଘ୍ର ଦୁର୍ବଳ ହୋଇପାରେ। ସେହି ସମୟରେ ପବନର ବେଗ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ଏବଂ ଝଟକା ପବନର ବେଗ ୯୦ କିଲୋମିଟର ରହିବା ସମ୍ଭାବନା ରହିଛି। ଲ୍ୟାଣ୍ଡଫଲ୍ ପରେ ବାତ୍ୟା ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରିବ।
ଅନ୍ୟପଟେ ବର୍ଷାକୁ ନେଇ ଚିନ୍ତା ବଢ଼ାଇଛି ପାଣିପାଗ ବିଭାଗର ଆକଳନ। ନଭେମ୍ବର ୧୯ ତାରିଖରେ ଦକ୍ଷିଣ ଓଡ଼ିଶାରେ ସବୁଠାରୁ ଅଧିକ ବର୍ଷା ହେବା ସମ୍ଭାବନା ରହିଛି। ଗଞ୍ଜାମ, ଗଜପତି, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ୨୦ରୁ ୩୦ ସେଣ୍ଟିମିଟର ପର୍ଯ୍ୟନ୍ତ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ। ଏଥିସହ ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ମଧ୍ୟ ବର୍ଷାର ପ୍ରଭାବ ରହିବ। ସେହିପରି ଉତ୍ତର ଓଡ଼ିଶାକୁ ମଧ୍ୟ ଛାଡ଼ିବନି ବାତ୍ୟାର ପ୍ରଭାବ। ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି।
ସମ୍ଭାବ୍ୟ ବିପଦକୁ ଦେଖି ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଜାରି ରହିଛି। ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ସତର୍କ କରାଯାଇଛି। ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ସହ ପାଣିପାଗ ବିଭାଗର ନିର୍ଦ୍ଦେଶ ମାନିବାକୁ ପରାମର୍ଶ ଦିଆଯାଇଛି। ତେବେ ବାତ୍ୟାର ପବନ ଅପେକ୍ଷା ଅତି ପ୍ରବଳ ବର୍ଷା ଏବେ ଓଡ଼ିଶା ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି।
