ପିଲାଙ୍କୁ ସ୍କୁଲ ମୁହାଁ କରିବା ପାଇଁ ସରକାରଙ୍କ ସ୍ମାର୍ଟ କାମ ହେଲା ବିଫଳ । ସରକାର ବିଦ୍ୟାଳୟରେ ଭିତ୍ତିଭୂମି ଠାରୁ ଆରମ୍ଭ କରି ସ୍ମାର୍ଟ କ୍ଳାସ, ସ୍ମାର୍ଟ କିଚେନ, ସ୍ମାର୍ଟ ଟଏଲେଟ ନିର୍ମାଣ କରିଛନ୍ତି । ହେଲେ ରକ୍ଷଣାବେକ୍ଷଣ ଅଭାବରୁ ଅନେକ ବିଦ୍ୟାଳୟରେ ସ୍ମାର୍ଟ ଟଏଲେଟ ଆଉ କାମରେ ଆସୁନାହିଁ । ଫଳରେ ଛାତ୍ରଛାତ୍ରୀ ଖୋଲା ଆକାଶ ତଳେ ଶୌଚ ହେବାକୁ ବାଧ୍ୟ ହେଉଛନ୍ତି । ବୋରିଗୁମ୍ମା ବୋଡିଗାଁ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଗ୍ରାଉଣ୍ଡରେ ସ୍ଥିତି ପରଖିଛି ଫୋକସ ପ୍ଲସ ।

ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସୁବିଧା ନିମନ୍ତେ ସରକାର ବିଦ୍ୟାଳୟକୁ ସ୍ମାର୍ଟ ବିଦ୍ୟାଳୟରେ ପରିଣତ କରିଛନ୍ତି । ଯାହାଫଳରେ କି ଛାତ୍ରଛାତ୍ରୀଙ୍କୁ କୌଣସି ସଂକ୍ରମଣ ନହୁଏ, ସେଥିପାଇଁ ସ୍ମାର୍ଟ ଟଏଲେଟ ନିର୍ମାଣ କରିଥିଲେ । ବୋରିଗୁମ୍ମା ବ୍ଲକ ବୋଡିଗାଁ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ଦୁଇଟି ସ୍ମାର୍ଟ ଟଏଲେଟ ନିର୍ମାଣ କରାଯାଇଥିଲା । ସେଥିରେ ଛାତ୍ରୀଙ୍କ ପିରିୟଡ଼ ନେପକୀନ ନିମନ୍ତେ ଭେଣ୍ଡିଂ ମେସିନ ଖଞ୍ଜା ଯାଇଥିଲା ହେଲେ କିଛି ମାସ ମଧ୍ୟରେ ଆଉ ସ୍ମାର୍ଟ ହେଇକି ରହିଲା ନାହିଁ । ବିଦ୍ୟାଳୟରେ ବାଲ ବାଟିକା ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୩୨୬ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି । ଟଏଲେଟ ନଥିବା ଯୋଗୁଁ ଛାତ୍ରଛାତ୍ରୀମାନେ ନିକଟରେ ଥିବା ଏକ ଜଙ୍ଗଲରେ ଖୋଲା ଆକାଶ ତଳେ ଶୌଚ ହେଉଛନ୍ତି । ଏହା ସହ ବନ୍ୟ ଜନ୍ତୁଙ୍କ ମଧ୍ୟ ଭୟ ରହିଛି ।
ବିଦ୍ୟାଳୟରେ ଅପରିଷ୍କାର ପରିବେଶ ମଧ୍ୟରେ ବସି ପାଠ ପଢୁଛନ୍ତି ବାଲ ବାଟିକା କୁନି କୁନି ଛାତ୍ରଛାତ୍ରୀ । କାରଣ ବିଦ୍ୟାଳୟରେ ନାହାନ୍ତି ସଫେଇ କର୍ମଚାରୀ । ୧ ବର୍ଷ ଧରି ସେମାନଙ୍କୁ ଦରମା ନମିଳିବା ଫଳରେ ସ୍କୁଲ ଛାଡି ଚାଲିଗଲେ ଚପରାସି । ବିଦ୍ୟାଳୟ ଚାରିପଟେ ଘାସ ଲତାରେ ପରିପୂର୍ଣ୍ଣ ଫଳରେ ମଶା ମାଛିଙ୍କ ଉପଦ୍ରବ ବଢୁଛି । ତୁରନ୍ତ ଟଏଲେଟ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ଅଭିଭାବକ ।
