CJP ଆନ୍ଦୋଳନ ପୂର୍ବରୁ ଦିଲ୍ଲୀ ପୋଲିସ୍ର ଆକ୍ସନ । ଦିଲ୍ଳୀ ବିମାନବନ୍ଦରରେ ଅଭିଜିତ ଦୀପକେଙ୍କୁ ଅଟକ ରଖିଲା ପୋଲିସ । ମୁମ୍ବାଇରୁ ଆସି ପହଞ୍ଚିବା ପରେ ଅଟକ ରଖିଲା ପୋଲିସ୍ । ସେହିପରି ବିକ୍ଷୋଭ ପ୍ରଦର୍ଶନ ପୂର୍ବରୁ ଦିଲ୍ଲୀ ପୁଲିସ ଗୁରୁଗ୍ରାମର ସେକ୍ଟର ୫୬ ସ୍ଥିତ ବାସଭବନରୁ ୟୁଟ୍ୟୁବର୍ ଧ୍ରୁବ୍ ରାଠୀଙ୍କୁ ଅଟକ ରଖିଛି । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ କକ୍ରୋଚ ଜନତା ପାର୍ଟି ଆଜି ଜନ୍ତରମନ୍ତରରେ ବିକ୍ଷୋଭ କରିବାକୁ ଯାଉଛି । ଏଥି ସହିତ, ୬୦୦ରୁ ଅଧିକ ଆନ୍ଦୋଳନକାରୀଙ୍କୁ ଅଟକ ରଖିଛି ଦିଲ୍ଲୀ ପୁଲିସ । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ CJP ଆଜି ଜନ୍ତରମନ୍ତରରେ ବିକ୍ଷୋଭ କରିବାକୁ ଥିବା ବେଳେ ଦିଲ୍ଲୀ ପୁଲିସ ଏପରି କରିଥିବାର ଦେଖିବାକୁ ମିଳିଛି ।

ଦିଲ୍ଲୀରେ ପ୍ରାୟ ୨୫ ହଜାର ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି । ସେମାନଙ୍କ ମଧ୍ୟରେ ଅଛନ୍ତି ପୁଲିସ ଓ ଅର୍ଦ୍ଧ ସାମରିକ ବଳର ଯବାନ । ରେଳ ଷ୍ଟେସନ, ବସ୍ ଟର୍ମିନାଲ ଓ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୪୫ଟି ମେଟ୍ରୋ ଷ୍ଟେସନରେ ପ୍ରବେଶ ଓ ପ୍ରସ୍ଥାନରେ କଟକଣା ଜାରି କରାଯାଇଛି । ଅପରାହ୍ନ ୨ଟା ପର୍ଯ୍ୟନ୍ତ ୭୫ଟି ମେଲ୍ ଓ ଏକ୍ସପ୍ରେସ ଟ୍ରେନ ଏବଂ ୧୭୯ଟି ଲୋକାଲ ଟ୍ରେନ ସେବା ବନ୍ଦ ରହିବ । ଜନ୍ତରମନ୍ତର ଠାରୁ ୪ କିଲୋମିଟର ପରିଧିରେ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି । ସମ୍ବେଦନଶୀଳ ଅଞ୍ଚଳରେ ୩୦୦ କ୍ୟାମେରା ଲଗାଯାଇଥିବା ବେଳେ ୧୨ଟି ଡିଟେନସନ ସେଣ୍ଟର ତିଆରି କରାଯାଇଛି । ପ୍ରାୟ ୧୦୦ ଜଣ ଭିଡିଓ ଗ୍ରାଫର ଓ ଫଟୋ ଗ୍ରାଫର ନିଯୁକ୍ତ କରାଯାଇଛି । ଏମିତିକି ବଡି କ୍ୟାମେରା ବ୍ୟବସ୍ଥା କରାଯାଇଛି । ତେବେ ସୁରକ୍ଷା ଦୃଷ୍ଟିରୁ ଜନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ କକ୍ରୋଚ ଜନତା ପାର୍ଟିକୁ ଅନୁମତି ଦିଆ ଯାଇନଥିୁବା ଜଣାପଡିଛି ।
