ଗୋବିନ୍ଦିପୁରରେ ଅସନ୍ତୋଷ, ବିଡିଓଙ୍କ ପରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ବହୁ ଦିନ ଧରି ଗୋବିନ୍ଦିପୁର ଗ୍ରାମର ମୁଖ୍ୟ ରାସ୍ତାରେ ବର୍ଷା ପାଣି ଓ କାଦୁଅ ଜମି ରହିବାରୁ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି | ସମସ୍ୟାର ସମାଧାନ ପାଇଁ ଆଗରୁ ତିର୍ତ୍ତୋଲ ବିଡ଼ିଓଙ୍କ ନିକଟରେ ଅଭିଯୋଗ କରଯାଇଥିଲେ ମଧ୍ୟ ସେ ଏହି ସମସ୍ୟାକୁ ଦୃଷ୍ଟି ଦେଇନଥିଲେ | ଶେଷରେ ତିର୍ତ୍ତୋଲ ବ୍ଲକରେ ଆୟୋଜିତ ହେଇଥିବା ଛୋଟ ଜନଶୁଣାଣି ଶିବିରରେ ଜଗତସିଂହପୁର ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଗ୍ରାମବାସୀ ଲିଖିତ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି |

ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ଗାଁ ରାସ୍ତା ମଝିରେ ବର୍ଷା ପାଣି ଜମି ରହିବାରୁ ଯାତାୟାତରେ ବାଧା ଉପୁଯିବା  ସହ ସ୍କୁଲ ଛାତ୍ରଛାତ୍ରୀ, ବୃଦ୍ଧ ଓ ସାଧାରଣ ଲୋକେ ଦୈନଦିନ ଯିବା ଆସିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଏନେଇ  ପୂର୍ବରୁ ବ୍ଲକ କାର୍ଯ୍ୟାଳୟରେ ଅଭିଯୋଗ ପରେ ପଞ୍ଚାୟତର ବିଭିନ୍ନ ପାଣ୍ଠିରୁ ରାସ୍ତା କାମ ପାଇଁ ଅର୍ଥ ମଞ୍ଜୁର ହେଇଥିବା ଦାବି କରାଯାଇଛି | କିନ୍ତୁ କାର୍ଯ୍ୟକାରୀ କ୍ଷେତ୍ରରେ କାମ ଆଗକୁ ବଢ଼ୁ ନଥିବାରୁ ସମସ୍ୟା ଅଧିକ ଜଟିଳ ହୋଇପଡିଛି |

ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ, ସରପଞ୍ଚଙ୍କ ମନୋଭାବ ଯୋଗୁଁ  କାମ କରିବାକୁ ଠିକା ସଂସ୍ଥାମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି | ଫଳରେ ବ୍ଲକର କନିଷ୍ଠ ଯନ୍ତ୍ରୀ କାର୍ଯ୍ୟାଦେଶକୁ ନିଜ ପାଖରେ ରଖିଥିବା ଓ ପିଇଓ ମଧ୍ୟ କାର୍ଯ୍ୟକାରୀ ସଂସ୍ଥା ପାଇପାରୁନଥିବାରୁ ଗ୍ରାମ ରାସ୍ତା ତିଆରି କାମ ଠପ୍ ହୋଇଯାଇଥିବା ଅଭିଯୋଗ କରିଛନ୍ତି | ପ୍ରଶାସନ ପକ୍ଷରୁ କୌଣସି  ପଦକ୍ଷେପ ନ ନିଆଗଲେ  ଗ୍ରାମବାସୀ ଗଣ ଆନ୍ଦୋଳନ ଆରମ୍ଭ କରିବେ ବୋଲି ଚେତାବନୀ ଦେଇଛନ୍ତି|

Leave a Reply

Your email address will not be published. Required fields are marked *