ପୁରୀ ଜିଲ୍ଲା ନିମାପଡା ବ୍ଲକ ଚାରିଛକ ବଜାରରୁ ଆସିଛି ବଡ଼ ଖବର। ରାତି ଅଧରେ ଗ୍ରୋସରୀ ଦୋକାନର ଆଜବେଷ୍ଟ ଭାଙ୍ଗି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ଚୋରି କରିନେଇଥିବା ଅଭିଯୋଗ ହୋଇଛି। ଘଟଣା ପରେ ଅଞ୍ଚଳରେ ଭୟ ଓ ଅସନ୍ତୋଷର ପରିବେଶ ଦେଖାଦେଇଛି।
ସୂଚନା ଅନୁଯାୟୀ, ଚାରିଛକ ମୁଖ୍ୟ ବଜାରରେ ସୁକାନ୍ତ ସାହୁଙ୍କ ଗ୍ରୋସରୀ ଦୋକାନ ରହିଛି। ପ୍ରତିଦିନର ଭଳି ସେ ଗତରାତିରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। କିନ୍ତୁ ଆଜି ସକାଳେ ଦୋକାନ ଖୋଲିବା ବେଳେ ଦେଖିଥିଲେ ଦୋକାନର ଆଜବେଷ୍ଟ ଭାଙ୍ଗି ଦୁର୍ବୃତ୍ତମାନେ ଭିତରକୁ ପଶିଥିବା ସ୍ପଷ୍ଟ ଚିହ୍ନ ରହିଛି.
ଦୋକାନ ଭିତରେ ସାମଗ୍ରୀ ଏଣେତେଣେ ପଡ଼ି ରହିଥିବା ବେଳେ ଡ୍ରଅର ଖୋଲି ଦେଖିଥିଲେ ସେଠାରେ ରଖାଯାଇଥିବା ଲକ୍ଷାଧିକ ଟଙ୍କା ନଥିଲା। ଚୋରମାନେ ଯୋଜନାବଦ୍ଧ ଭାବେ ଦୋକାନକୁ ଟାର୍ଗେଟ କରି ଏହି ଚୋରି କରିଥିବା ସନ୍ଦେହ କରାଯାଉଛି।
ଘଟଣା ସମ୍ପର୍କରେ ସୁକାନ୍ତ ସାହୁ ଚାରିଛକ ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଫିଙ୍ଗରପ୍ରିଣ୍ଟ ଓ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ କରାଯାଉଛି।
ସବୁଠାରୁ ବଡ଼ କଥା ହେଲା, ଘଟଣାସ୍ଥଳ ଥାନାରୁ ମାତ୍ର ପ୍ରାୟ ୫୦୦ ମିଟର ଦୂରରେ ଥିବା ସତ୍ତ୍ୱେ ବାରମ୍ବାର ଚୋରି ଘଟଣା ଘଟୁଥିବାରୁ ପୋଲିସ ପ୍ରହରା ଓ ଆଇନ ଶୃଙ୍ଖଳାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।
ଚାରିଛକ ବଜାରରେ ବଢୁଥିବା ଚୋରି ଘଟଣାକୁ ନେଇ ବ୍ୟବସାୟୀମାନେ ଚିନ୍ତାରେ ପଡ଼ିଛନ୍ତି। ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରିବା ସହ ରାତ୍ରିକାଳୀନ ପେଟ୍ରୋଲିଂ ବଢ଼ାଇବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
