ଝାରସୁଗୁଡ଼ାରେ ଅପରାଧୀଙ୍କ ପାଇଁ କଡ଼ା ଚେତାବନୀ । ରାତି ଅଧିଆରେ ହଠାତ୍ ବାଇକ୍ ଚଢ଼ି ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କଲେ ଝାରସୁଗୁଡ଼ା ଏସପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର । ସରକାରୀ ଗାଡ଼ି କିମ୍ବା ବଡ଼ କନଭୟ ବଦଳରେ ସାଧାରଣ ବାଇକ୍ରେ ପହଞ୍ଚି ଅଚାନକ ଚେକିଂ କରିଥିଲେ ଏସପି। ସହରର ବିଭିନ୍ନ ଜନଶୂନ୍ୟ ଓ ସମ୍ବେଦନଶୀଳ ସ୍ଥାନରେ ଚାଲିଥିବା ଏହି ରାତ୍ରିକାଳୀନ ଅପରେସନ ପରେ ଅପରାଧୀଙ୍କ ମଧ୍ୟରେ ଛନକା ପସିଥିବା ବେଳେ ସାଧାରଣ ଲୋକ ଏହାକୁ ସ୍ୱାଗତ କରିଛନ୍ତି। ଜିଲ୍ଲାରେ ଆଇନ ଶୃଙ୍ଖଳାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ପୋଲିସର ଏହି ନୂଆ ଆଭିମୁଖ୍ୟ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି।
ଝାରସୁଗୁଡ଼ା ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆହୁରି ମଜବୁତ କରିବା ପାଇଁ ଆକ୍ସନ ମୋଡ୍ରେ ଜିଲ୍ଲା ପୋଲିସ । ଅପରାଧ ନିୟନ୍ତ୍ରଣ ଓ ଅସାମାଜିକ ତତ୍ତ୍ୱଙ୍କ ଉପରେ ଅଙ୍କୁଶ ଲଗାଇବାକୁ ଏଥର ନିଜେ ମଇଦାନକୁ ଓହ୍ଲାଇଛନ୍ତି ଝାରସୁଗୁଡ଼ା ଏସପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର।
ସାଧାରଣତଃ ବରିଷ୍ଠ ପୋଲିସ ଅଧିକାରୀମାନେ ସରକାରୀ ଗାଡ଼ି କିମ୍ବା କନଭୟରେ ଗସ୍ତ କରୁଥିବା ବେଳେ ଝାରସୁଗୁଡ଼ା ଏସପି କିନ୍ତୁ ଏକ ଭିନ୍ନ ଉଦାହରଣ ସୃଷ୍ଟି କରିଛନ୍ତି। ସେ ସରକାରୀ ଗାଡ଼ି ଛାଡ଼ି ସାଧାରଣ ବାଇକ୍ରେ ରାତି ଅଧିଆରେ ସହରର ବିଭିନ୍ନ ସ୍ଥାନରେ ପହଞ୍ଚି ଅତର୍କିତ ଚଢ଼ାଉ କରିଥିଲେ। ଏହି ଅପରେସନ୍ରେ ପୋଲିସର ବିଭିନ୍ନ ଟିମ୍ ମଧ୍ୟ ସାମିଲ ହୋଇଥିଲେ।
ଅଧାରାତିର ଅନ୍ଧାରରେ ସହରର ବିଭିନ୍ନ ଜନଶୂନ୍ୟ ସ୍ଥାନ, ସାର୍ବଜନୀନ ଅଞ୍ଚଳ ଏବଂ ଅପରାଧ ପ୍ରବଣ ଅଞ୍ଚଳରେ ଏହି ଚେକିଂ ଓ ତଲାସି ଅଭିଯାନ ଚାଲିଥିଲା। ହଠାତ୍ ଏସପିଙ୍କୁ ନିଜ ସାମ୍ନାରେ ଦେଖି ଅନେକ ସନ୍ଦେହଜନକ ବ୍ୟକ୍ତି ଚକିତ ହୋଇଯାଇଥିବା ବେଳେ ସାଧାରଣ ଲୋକମାନେ ମଧ୍ୟ ଏହି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ।
ଜିଲ୍ଲାରେ ଚୋରି, ଲୁଟ୍, ନିଶା କାରବାର ଭଳି ଅପରାଧମୂଳକ କାର୍ଯ୍ୟକଳାପ ଉପରେ ନଜର ରଖିବା ସହ ଅପରାଧୀଙ୍କ ମନରେ ଭୟ ସୃଷ୍ଟି କରିବା ଏବଂ ସାଧାରଣ ଲୋକଙ୍କ ମନରେ ସୁରକ୍ଷାର ଭାବନା ବଢ଼ାଇବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଉଛି।
ଏସପିଙ୍କ ଏହି ରାତ୍ରିକାଳୀନ ଅପରେସନ୍ର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସାଧାରଣରେ ବେଶ୍ ପ୍ରଶଂସା ମିଳୁଛି। ଅନେକ ଲୋକ ଏହାକୁ ଜନସୁରକ୍ଷା ଦିଗରେ ଏକ ସକାରାତ୍ମକ ପଦକ୍ଷେପ ବୋଲି କହୁଥିବା ବେଳେ ଆଗାମୀ ଦିନରେ ଏଭଳି ଚଢ଼ାଉ ଜାରି ରହିଲେ ଜିଲ୍ଲାରେ ଅପରାଧ ହାର କମିବ ବୋଲି ଆଶା ପ୍ରକାଶ ପାଇଛି।
