ଝାରସୁଗୁଡା ଇବ ନଦୀରେ ଅଘଟଣ ପାଣିରେ ବୁଡ଼ି ଦୁଇ ଯୁବକଙ୍କ ମୃତ୍ୟୁ, ଚିକିତ୍ସା ଅବହେଳା ଅଭିଯୋଗରେ ହସ୍ପିଟାଲରେ ଉତ୍ତେଜନା । ଝାରସୁଗୁଡ଼ା ଇବ ନଦୀରେ ଗାଧୋଇବାକୁ ଯାଇ ଘଟିଛି ଏକ ହୃଦୟବିଦାରକ ଅଘଟଣ। ବୁଢ଼ୀପଦର ଗାଁ ନିକଟସ୍ଥ ଇବ ନଦୀ ବନ୍ଧରେ ପାଣିରେ ବୁଡ଼ି ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକମାନେ ସଦର ଥାନା ଅଞ୍ଚଳର ପଙ୍କଜ କୁମାର ସାହୁ ଓ ଅଭିରାମ ସାହୁ ବୋଲି ଜଣାପଡ଼ିଛି । ଦୁହେଁ ସାଙ୍ଗମାନଙ୍କ ସହ ଇବ୍ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ହଠାତ୍ ଗଭୀର ପାଣିକୁ ଚାଲିଯାଇ ବୁଡ଼ି ଯାଇଥିଲେ । ଘଟଣା ଜାଣିବା ପରେ ସ୍ଥାନୀୟ ଯୁବକମାନେ ତୁରନ୍ତ ପାଣି ଭିତରକୁ ପଶି ଦୁହେଁଙ୍କୁ ଉଦ୍ଧାର କରିଥିଲେ । ଏହାପରେ ଆମ୍ବୁଲାନ୍ସକୁ ଖବର ଦିଆ ଯାଇଥିଲା ।
ତେବେ ଅଭିଯୋଗ ଅନୁସାରେ, ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିବାରେ ବହୁତ ବିଳମ୍ବ ହୋଇଥିଲା। ଫଳରେ ଗୁରୁତର ଅବସ୍ଥାରେ ଥିବା ଦୁଇ ଯୁବକଙ୍କୁ ଠିକ୍ ସମୟରେ ଚିକିତ୍ସା ମିଳିପାରିନଥିଲା। ପରେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ହସ୍ପିଟାଲରେ ମଧ୍ୟ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପକ୍ଷରୁ ଚିକିତ୍ସା ଆରମ୍ଭ କରିବାରେ ବିଳମ୍ବ ହୋଇଥିବା ନେଇ ପରିବାର ଲୋକେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେମାନଙ୍କ କହିବା ଅନୁସାରେ, ଯଦି ସମୟମତେ ଆମ୍ବୁଲାନ୍ସ ଓ ଜରୁରୀ ଚିକିତ୍ସା ମିଳିଥାନ୍ତା, ତେବେ ଦୁଇ ଯୁବକଙ୍କ ଜୀବନ ବଞ୍ଚି ପାରିଥାନ୍ତା। ଅନ୍ୟପଟେ ଡାକ୍ତର ଦୁହେଁଙ୍କୁ ମୃତ ଘୋଷଣା କରିବା ପରେ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା। ପରିବାର ସଦସ୍ୟ ଓ ସମ୍ପର୍କୀୟମାନେ ଚିକିତ୍ସା ଅବହେଳା ଅଭିଯୋଗ ଆଣି ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବିରୋଧରେ ପ୍ରତିବାଦ କରିଥିଲେ। ଘଟଣାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତୀବ୍ର ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ପରିସ୍ଥିତି ଉପରେ ନଜର ରଖିଛି। ମୃତ୍ୟୁର ପ୍ରକୃତ କାରଣ ଏବଂ ଚିକିତ୍ସା ଅବହେଳା ଅଭିଯୋଗର ସତ୍ୟତା ନେଇ ତଦନ୍ତ ହେବ ବୋଲି ଜଣାପଡ଼ିଛି।
