ଝାରସୁଗୁଡ଼ା ଜିଲ୍ଲାବାସୀଙ୍କ ବହୁ ଦିନର ସ୍ୱପ୍ନ ପୂରଣ ହୋଇଛି। ଜିଲ୍ଲାରେ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ହାର୍ଟ ହସ୍ପିଟାଲ୍। ହେଲେ ହସ୍ପିଟାଲ୍ ଖୋଲିବା ପରେ ରୋଗୀଙ୍କ ଚିକିତ୍ସା ଠାରୁ ଅଧିକ ଚର୍ଚ୍ଚାରେ ରହିଛି ଏହାର ଶ୍ରେୟ ନେବା ରାଜନୀତି। ହସ୍ପିଟାଲ୍ କାହାର ଉଦ୍ୟମରେ ସମ୍ଭବ ହେଲା, ତାହାକୁ ନେଇ ଏବେ ସାମ୍ନାସାମ୍ନି ହୋଇଛନ୍ତି ପୂର୍ବତନ ବିଧାୟିକା ଦୀପାଲି ଦାସ ଓ ବର୍ତ୍ତମାନର ବିଧାୟକ ଟଙ୍କଧର ତ୍ରିପାଠୀ ।
ଝାରସୁଗୁଡ଼ାରେ ହୃଦରୋଗୀଙ୍କ ପାଇଁ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ହାର୍ଟ ହସ୍ପିଟାଲ୍। ଏହା ଫଳରେ ଏବେ ଜଟିଳ ହୃଦରୋଗ ଚିକିତ୍ସା ପାଇଁ ରୋଗୀଙ୍କୁ ଆଉ କଟକ କିମ୍ବା ଭୁବନେଶ୍ୱର ଧାଇଁବାକୁ ପଡ଼ିବ ନାହିଁ। କିନ୍ତୁ ହସ୍ପିଟାଲ୍ କାର୍ଯ୍ୟକ୍ଷମ ହେବା ସହିତ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ଶ୍ରେୟ ନେବାର ଲଢ଼େଇ।

ପୂର୍ବତନ ବିଧାୟିକା ଦୀପାଲି ଦାସ ଦାବି କରିଛନ୍ତି ଯେ, ଏହି ହସ୍ପିଟାଲ୍ ସ୍ୱର୍ଗତ ନବ ଦାସଙ୍କ ସ୍ୱପ୍ନ ଥିଲା। ତାଙ୍କର ଉଦ୍ୟମ ଓ ପୂର୍ବତନ ବିଜେଡି ସରକାରଙ୍କ ପ୍ରୟାସରେ ପ୍ରକଳ୍ପର ଯୋଜନା, ଅନୁମୋଦନ ଏବଂ ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ବର୍ତ୍ତମାନ ସରକାର କେବଳ ଉଦଘାଟନ କରି ଶ୍ରେୟ ନେବାକୁ ଚେଷ୍ଟା କରୁଥିବା ସେ ଅଭିଯୋଗ କରିଛନ୍ତି ।
ଦୀପାଲିଙ୍କ ଅଭିଯୋଗର କଡ଼ା ଜବାବ ଦେଇଛନ୍ତି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ। ତାଙ୍କ କହିବା କଥା, ପୂର୍ବ ସରକାର କେବଳ ଘୋଷଣା କରିଥିଲେ, କିନ୍ତୁ ହସ୍ପିଟାଲ୍ ଚାଲୁ କରିବା ପାଇଁ ଆବଶ୍ୟକ ଅନେକ କାମ ବାକି ଥିଲା। ବିଜେପି ସରକାର ଆସିବା ପରେ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ବାକି କାମ ସମ୍ପୂର୍ଣ୍ଣ କରାଯାଇ ହସ୍ପିଟାଲକୁ କାର୍ଯ୍ୟକ୍ଷମ କରାଯାଇଛି।
ହାର୍ଟ ହସ୍ପିଟାଲ୍କୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ଏହି କ୍ରେଡିଟ୍ ୱାର୍ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଦୁଇ ଦଳ ନିଜ ନିଜ ଅବଦାନକୁ ନେଇ ଦାବି କରୁଥିବା ବେଳେ ସାଧାରଣ ଲୋକ କିନ୍ତୁ ରାଜନୀତିଠାରୁ ଅଧିକ ଗୁରୁତ୍ୱ ଦେଉଛନ୍ତି ସ୍ୱାସ୍ଥ୍ୟ ସେବାକୁ।
କିଏ ଶ୍ରେୟ ନେବ, ତାହାକୁ ନେଇ ରାଜନୈତିକ ତର୍କ ଚାଲିଥାଇପାରେ। ହେଲେ ଝାରସୁଗୁଡ଼ା ଓ ପାଖପାଖି ଅଞ୍ଚଳର ହଜାର ହଜାର ରୋଗୀଙ୍କ ପାଇଁ ଏହି ହାର୍ଟ ହସ୍ପିଟାଲ୍ ଏକ ବଡ଼ ଆଶ୍ୱସ୍ତି ହୋଇଛି। ତେଣୁ ରାଜନୀତି ନୁହେଁ, ବରଂ ଉନ୍ନତ ଚିକିତ୍ସା ସେବା ଓ ରୋଗୀଙ୍କୁ ମିଳୁଥିବା ସୁବିଧା ହିଁ ଶେଷ ପର୍ଯ୍ୟନ୍ତ ବଡ଼ କଥା ହେବ।
