ପାରଳାଖେମୁଣ୍ଡି: ଗଜପତି ଏସ୍.ପି.ଙ୍କ ନିର୍ଦ୍ଦେଶକ୍ରମେ ଗତ ରାତିରେ ପାରଳାଖେମୁଣ୍ଡି ପୋଲିସ ସହରର ବିଭିନ୍ନ ସଂବେଦନଶୀଳ ଅଞ୍ଚଳରେ ବ୍ୟାପକ ଏନଫୋର୍ସମେଣ୍ଟ ଡ୍ରାଇଭ୍ ଚଳାଇଛି। DVF ଓ APR ଫୋର୍ସ ସହାୟତାରେ ସେରି ସାହି, ଜଙ୍ଗମ ସାହି, ରେଲି ସାହି ସମେତ ବିଭିନ୍ନ ଅଞ୍ଚଳରେ ଫୁଟ୍ ମାର୍ଚ୍ଚ ଓ ଚଢ଼ାଉ କରାଯାଇଥିଲା।
ଚଢ଼ାଉ ବେଳେ ସେରି ସାହିରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି ୮ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୨,୩୩୫ ଟଙ୍କା ନଗଦ ଓ ୮ଟି ମୋବାଇଲ ଫୋନ୍ ଜବତ କରାଯାଇଛି।
ସେହିପରି ରେଲି ସାହିରେ ଅବକାରୀ ଆଇନ ଉଲ୍ଲଂଘନ ମାମଲାରେ ୧୪ଟି ବିୟର ବୋତଲ ଜବତ ହୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।

ଅନ୍ୟପଟେ ଯାନବାହାନ ଯାଞ୍ଚ ସମୟରେ ଏକ ମୋଟରସାଇକେଲରେ ବେଆଇନ ଭାବେ ମଦ ପରିବହନ କରୁଥିବା ୨ ଜଣଙ୍କୁ ଧରି ୨୦ ଲିଟର ମଦ ଜବତ କରିଛି ପୋଲିସ।
ଘଟଣାକୁ ନେଇ ପାରଳାଖେମୁଣ୍ଡି ଥାନାରେ କେସ୍ ନଂ ୨୨୪/୨୦୨୬, ୨୨୫/୨୦୨୬ ଓ ୨୨୬/୨୦୨୬ ରୁଜୁ ହୋଇଥିବା ବେଳେ ତଦନ୍ତ ଜାରି ରହିଛି।
ପୋଲିସ କହିଛି, ଜୁଆ, ଅବୈଧ ମଦ କାରବାର ଓ ଅନ୍ୟାନ୍ୟ ଅସାମାଜିକ କାର୍ଯ୍ୟକଳାପ ବିରୋଧରେ ଏଭଳି କଡ଼ା ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ।
“ଜୁଆ ଓ ବେଆଇନ ମଦ କାରବାର ଉପରେ ପୋଲିସର କଡ଼ା ଆକ୍ସନ୍, ୧୧ ଜଣ ଗିରଫ” ।
