ସାଇବର ଅପରାଧ ବିରୋଧରେ ଝାରସୁଗୁଡ଼ା ସାଇବର ପୋଲିସର ବଡ଼ ସଫଳତା। ଜଣେ ଯୁବତୀଙ୍କ ନାମରେ ନକଲି ଇନଷ୍ଟାଗ୍ରାମ ଆକାଉଣ୍ଟ ଖୋଲି ତାଙ୍କର ମର୍ଯ୍ୟାଦା ହାନି କରିବା ସହ ଅଶ୍ଳୀଳ ଫଟୋ ଓ ଭିଡିଓ ପ୍ରସାରଣ କରୁଥିବା ଜଣେ ସାଇବର ଅପରାଧୀଙ୍କୁ ବିହାରରୁ ଗିରଫ କରିଛି ଝାରସୁଗୁଡା ସାଇବର ପୋଲିସ।
ସୂଚନା ଅନୁସାରେ, ଜଣେ ଯୁବତୀ ଝାରସୁଗୁଡ଼ା ସାଇବର କ୍ରାଇମ୍ ଓ ଇକୋନୋମିକ୍ ଅଫେନ୍ସ ଥାନାରେ ଅଭିଯୋଗ କରିଥିଲେ ଯେ, ଅଜଣା ବ୍ୟକ୍ତି ତାଙ୍କ ନାମରେ ଏକ ନକଲି ଇନଷ୍ଟାଗ୍ରାମ ଆକାଉଣ୍ଟ ସୃଷ୍ଟି କରିଥିଲେ। କେବଳ ସେତିକି ନୁହେଁ, ତାଙ୍କର ଅଶ୍ଳୀଳ ଫଟୋକୁ ପ୍ରୋଫାଇଲ୍ ଚିତ୍ର ଭାବେ ବ୍ୟବହାର କରିବା ସହ ବିଭିନ୍ନ ଅଶ୍ଳୀଳ ଫଟୋ, ଭିଡିଓ ଓ ଧମକପୂର୍ଣ୍ଣ ବାର୍ତ୍ତା ପଠାଉଥିଲା। ବିଭିନ୍ନ ମୋବାଇଲ୍ ନମ୍ବରରୁ ଲଗାତାର ସମ୍ପର୍କ କରି ଯୁବତୀଙ୍କୁ ମାନସିକ ଭାବେ ହଇରାଣ କରାଯାଉଥିବା ଅଭିଯୋଗ ହୋଇଥିଲା।
ଅଭିଯୋଗ ପାଇବା ପରେ ଝାରସୁଗୁଡ଼ା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ପୋଲିସ ଡିଜିଟାଲ ପ୍ରମାଣ ସଂଗ୍ରହ କରିବା ସହ ସୋସିଆଲ ମିଡିଆ କମ୍ପାନୀ ଠାରୁ ଆବଶ୍ୟକ ତଥ୍ୟ ହାସଲ କରିଥିଲା। ଏହାସହ କଲ୍ ଡିଟେଲ୍ ରେକର୍ଡ ଓ ସବସ୍କ୍ରାଇବର ତଥ୍ୟ ବିଶ୍ଳେଷଣ କରି ଅଭିଯୁକ୍ତ ବିହାରର ସୁପାଲ ଜିଲ୍ଲାରେ ଥିବା ଠାବ କରିଥିଲା।
ପରେ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ବିହାର ଯାଇ ଅଭିଯୁକ୍ତ ମହମ୍ମଦ ରାଶିଦଙ୍କୁ ଗିରଫ କରିଥିଲା। ଅଭିଯୁକ୍ତଙ୍କ ବୟସ ୨୦ ବର୍ଷ ହୋଇଥିବା ବେଳେ ସେ ସୁପାଲ ଜିଲ୍ଲାର ସୋନକ ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି।
ନକଲି ସୋସିଆଲ ମିଡିଆ ଆକାଉଣ୍ଟ ଖୋଲି ମହିଳାଙ୍କୁ ହଇରାଣ କରୁଥିବା ସାଇବର ଅପରାଧୀଙ୍କ ପାଇଁ ଏହି ଗିରଫ ଏକ କଡ଼ା ବାର୍ତ୍ତା। ଡିଜିଟାଲ ଯୁଗରେ ସାଇବର ସୁରକ୍ଷା ପ୍ରତି ସଚେତନ ରହିବା ସହ ଏଭଳି ଘଟଣା ସାମ୍ନାକୁ ଆସିଲେ ତୁରନ୍ତ ପୋଲିସକୁ ଜଣାଇବାକୁ ଅପିଲ କରିଛି ଝାରସୁଗୁଡ଼ା ପୋଲିସ ।
