ଅନାବରଣ ପୂର୍ଵ ରୁ ଭାଙ୍ଗି ଦେଲେ ସ୍ୱର୍ଗତଃ ଦାମ ରାଉତ ଙ୍କ ପ୍ରତିମୂର୍ତ୍ତି

ସରକାରଙ୍କ ଔଦ୍ଧତ୍ୟ ନା ପ୍ରଶାସନିକ ଅଧିକାରୀଙ୍କ ଅସମ୍ମାନ ?

ଅନାବରଣ ପୂର୍ବରୁ ଭାଙ୍ଗିଦେଲେ ଦାମଙ୍କ ପ୍ରତିମୁର୍ତି ଏଭଳି ଘଟଣା ଘଟିଛି ଖୋଦ ଦାମଙ୍କ ଜନ୍ମମାଟି ଏରସମା ଶିଆଳି ଅଂଚଳରେ | ପୂର୍ବତନ ମନ୍ତ୍ରୀ ତଥା ବିଶିଷ୍ଟ ରାଜନେତା ସ୍ୱର୍ଗତଃ ଡ ଦାମୋଦର ରାଉତଙ୍କୁ କିଏ ବା ନଜାଣେ | ଦୀର୍ଘ ଦଶନ୍ଧି ଧରି ରାଜନୈତିକ ଜୀବନରେ ସେ ଅନେକ ପଦପଦବୀରେ ରହି ରାଜ୍ୟର ବହୁ ଗୁରୁ ଦାଇତ୍ୱ ସମାପନ କରିଛନ୍ତି | ହାତଗଣତି ରାଜ୍ୟର କେତେଜଣ ମହାନ ରାଜନେତାଙ୍କ ମଧ୍ୟରେ ତାଙ୍କ ନାମ ନିଶ୍ଚୟ ଆସିବା କଥା | କଥାରେ ସେ ସମସ୍ତଙ୍କୁ ସାବାଡ କରି ଦେଉଥିବା ଏକ ଭିନ୍ନ ଭାବଭଙ୍ଗୀର ନେତା ଥିଲେ ଦାମ ବାବୁ | କିନ୍ତୁ ଆଜି ଜଗତସିଂହପୁର ଜିଲ୍ଲା ଶିଆଳି ବେଳାଭୂମି ପାଖରେ ତାଙ୍କର ପ୍ରତିମୂର୍ତ୍ତିକୁ ଭାଙ୍ଗି ଖଣ୍ଡଖଣ୍ଡ କରି ଦିଆଯାଇଛି | ଏହାକୁ ଆଉ କିଏ ଭାଙ୍ଗି ନାହାନ୍ତି , ଭାଙ୍ଗିଛି ଖୋଦ ବନ ବିଭାଗ |

ଶିଆଳି ବାଲିଯାତ୍ରା କମିଟି ପକ୍ଷରୁ ବେଳାଭୂମି ପାଖରେ ଡ ଦାମୋଦର ରାଉତଙ୍କ ଏକ ପ୍ରତିମୁର୍ତି ନିର୍ମାଣ ସରିଥିଲା | ଆସନ୍ତା ୨୬ ତାରିଖ ଅପରାହ୍ନ ୪ଟା ସମୟରେ ଉଦ୍ଘାଟିତ ହୋଇଥାନ୍ତା ଏହି ପ୍ରତିମୁର୍ତି | ଅତିଥି ନିମନ୍ତ୍ରଣ , ନାମ ଫଳକ ଶିଳା ମଧ୍ୟ ଲଗାଯାଇ ଥିଲା | ସାଂସଦ ଡ ବିଭୁ ପ୍ରସାଦ ତରାଇ , ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ , ଶୂର ରାଉତରାୟ , ଲଲାଟେନ୍ଦୁ ମହାପାତ୍ର ,ସମ୍ବିତ ରାଉତରାୟଙ୍କ ଠାରୁ ଆରମ୍ଭ କରି ଅନେକ ରାଜନେତା ମାନଙ୍କର ନାମ ମଧ୍ୟ ଫଳକରେ ଲେଖା ଯାଇଥିଲା | କିନ୍ତୁ ଗତକାଲି ଠିକ ମଧ୍ୟାହ୍ନ ସମୟରେ ବନ ବିଭାଗର କିଛି କର୍ମଚାରୀ ଯାଇ ଉକ୍ତ ପ୍ରତିମୂର୍ତ୍ତିକୁ ଲୁହା ହାତୁଡି ଓ ସାବଳରେ ବାଡେଇ ବାଡେଇ ଭାଙ୍ଗିଥିଲେ | ଘଟଣା ବିଷୟରେ କୁଜଙ୍ଗ ବନାଞ୍ଚଳ ଅଧିକାରୀ ସଞ୍ଜୟ ପ୍ରଧାନଙ୍କୁ ପଚାରିବାରୁ ପ୍ରତିମୁର୍ତି କାହାର ଆମେ ଜାଣିନୁ , ପ୍ରତିମୂର୍ତ୍ତିର ମୁହଁ ଘୋଡା ଯାଇଥିଲା | ପ୍ରତିମୁର୍ତି ସ୍ଥାପନ କରାଯାଉଥିବା ଜାଗାଟି ଫରେଷ୍ଟ ବ୍ଲକ ଅଧୀନରେ ଆସୁଛି | ରାଜନଗର ଡ଼ିଏଫଓଙ୍କ ନିର୍ଦେଶ କ୍ରମେ ହାଉୱାଖାନା ରାମତରା ବନ ବିଭାଗ ଅଧିକାରୀ ଓ ଗାର୍ଡ ଏହାକୁ ଭାଙ୍ଗିଛନ୍ତି ବୋଲି ସେ ପ୍ରକାଶ କରି କ୍ୟାମେରା ସାମ୍ନାରେ କହିବାକୁ ମନା କରିଛନ୍ତି | ଏହି ଘଟଣାକୁ ସାରା ଏରସମା ଅଂଚଳରେ ବିଭିନ୍ନ ମହଲରେ ନିନ୍ଦା କରାଯିବ ସହ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି |

ସାମାଜିକ ଗଣମାଧ୍ୟମ ଠାରୁ ଆରମ୍ଭକରି ବିଭିନ୍ନ ଲୋକ ଏହାକୁ ନିନ୍ଦା କରିବା ସହ ଏହା ଏକ ହୀନ ରାଜନୀତି ବୋଲି ମଧ୍ୟ ଚର୍ଚା ଆରମ୍ଭ ହୋଇଛି | ଦାମ ବାବୁଙ୍କ ପ୍ରତିମୁର୍ତି ଯେଉଁଠାରେ ନିର୍ମାଣ ହେଉଥିଲା ସେଠାରୁ ମାତ୍ର ଅଳ୍ପ ଦୂରରେ ପୂର୍ବରୁ ଅନ୍ୟ ପ୍ରତିମୁର୍ତି ଅଛି | ଯଦି ଏହା ଜଙ୍ଗଲ ଜମି ଉପରେ ବୋଲି ପ୍ରଶାସନ ଏହାକୁ ଭାଙ୍ଗିଲା ତେବେ ସେ ପ୍ରତିମୁର୍ତି ପୁଣି ସେଠାରେ ଆଗରୁ ଅଛି କିପରି ବୋଲି ଲୋକେ ପ୍ରଶ୍ନ କରିଛନ୍ତି | ଦାମ ବାବୁଙ୍କ ପ୍ରତିମୁର୍ତି ଉନ୍ମୋଚନ କାର୍ଯ୍ୟକ୍ରମରେ ସ୍ଥାନୀୟ ସାଂସଦ , ଅନେକ ପୂର୍ବତନ ବିଧାୟକ , କଂଗ୍ରେସ ଦଳ ଓ ବିଜେପି ଦଳର ନେତାମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା |

ତେବେ କେଉଁ ଅଦୂର୍ଷ୍ୟ ଶକ୍ତି ଜଙ୍ଗଲ ଜମିର ଆଳ ଦେଖାଇ ଏଭଳି ମହାନ ରାଜନେତାଙ୍କ ପ୍ରତିମୂର୍ତ୍ତିକୁ ପୁଣି ଏରସମା ମାଟିରେ ଭାଙ୍ଗିଦେଲା ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି | ଶିଆଳି ବାଲିଯାତ୍ରା ଡ ଦାମୋଦର ରାଉତଙ୍କ ସୃଷ୍ଟି | ଏରସମା ଅଂଚଳର ଯୁବକ ମାନେ ଅତି ଉସଃଚକତାର ସହ ଦାମ ବାବୁଙ୍କ ପ୍ରତିମୁର୍ତି ସ୍ଥାପନ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ | କିନ୍ତୁ କିଛି ହୀନ ରାଜନୀତି ପାଇଁ ପ୍ରଶାସନ ଅତର୍କିତ ଭାବେ ଆସି ଦାମ ବାବୁଙ୍କ ପ୍ରତିମୂର୍ତ୍ତିକୁ ଯେଉଁଭଳି ଭାବେ ବାଡେଇ ବାଡେଇ ଭାଙ୍ଗିଲା , ତାହା ଆମକୁ ଗଭୀର ଆଘାତ ଦେଇଛି ବୋଲି କମିଟିର ସଭାପତି ନିରାକାର ସ୍ୱାଇଁ ପ୍ରକାଶ କରିଛନ୍ତି | ଏହି ଘଟଣା ଏବେ ସମଗ୍ର ଜିଲ୍ଲାରେ ଏକ ରାଜନୈତିକ ହଟଚମଟ ସୃଷ୍ଟି କରିବାକୁ ଯାଉଥିବା ଆଲୋଚନା ହେଉଛି | ଦାମ ବାବୁଙ୍କୁ ଅସମ୍ମାନ , ମୁଖ୍ୟମନ୍ତ୍ରୀଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିବି ବୋଲି କହିଛନ୍ତି ଜଗତସିଂହପୁର  ସାଂସଦ ଡ ବିଭୁ ପ୍ରସାଦ ତରାଇ |

ଡ ଦାମୋଦର ରାଉତଙ୍କ ପ୍ରତିମୁର୍ତିକୁ ଅନାବରଣ ପୂର୍ବରୁ ଯେଉଁଭଳି ଭାବେ ବନ ବିଭାଗ ଭାଙ୍ଗି ଦେଲା , ତାହା ମୁ ଗ୍ରହଣ କରି ପାରୁନାହିଁ | ଦାମ ବାବୁ ୧୯୭୭ ମସିହାରୁ ଏରସମା ଅଂଚଳର ପ୍ରତିନିଧିତ୍ବ କରି ଆସୁଛନ୍ତି | ଏରସମା ଅଂକାହାଲା ପାଇଁ ତାଙ୍କର ବହୁ ଅବଦାନ ଅଛି | ଯେଉଁ ଜାଗାରେ ପ୍ରତିମୁର୍ତି ସ୍ଥାପନ କରାଯାଉଥିଲା , ସେଠାରେ ଏକ ମାର୍କେଟ କମ୍ପ୍ଲେକ୍ସ ଅଛି ଓ ବିଜୁ ବାବୁଙ୍କ ପ୍ରତିମୁର୍ତି ଅଛି | ଜଙ୍ଗଲ କିସମ ଜମିରେ ଜଙ୍ଗଲ ବିଭାଗ ସେଠାରେ କଣ କାମ କରିବ ମୁ ଜାଣିନି , କିନ୍ତୁ ଗତକାଲି ଦିଲ୍ଲୀରୁ ରହି ମୁ ଡ଼ିଏଫଓ ଓ ରେଂଜେରଙ୍କ ସହ କଥା ହୋଇଥିଲି | ଆଜି ସେମାନେ ଏହାକୁ ଭାଙ୍ଗିଲେ | ତେଣୁ ମୁ ବ୍ୟକ୍ତିଗତ ଭାବେ ମୁଖ୍ୟମନ୍ତ୍ରୀଙ୍କ ସହ ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ଆଲୋଚନା କରିବି ବୋଲି ଜଗତସିଂହପୁର ସାଂସଦ ଡ ବିଭୁ ପ୍ରସାଦ ତରାଇ ପ୍ରକାଶ କରିଛନ୍ତି |

ଡଃ ଦାମୋଦର ରାଉତଙ୍କ ଅବର୍ତ୍ତମାନରେ ତାଙ୍କ ପ୍ରତି ହୋଇଥିବା ଏହି ଅସମ୍ମାନକୁ ଅନେକ ସହଜେ ହଜମ କରି ପାରି ନଥିବା ବେଳେ ଆଗକୁ ଏହି ଘଟଣା ଏରସମାରେ ଉଗ୍ର ରୂପ ନେବ ବୋଲି ଜଣାପଡିଛି |

Leave a Reply

Your email address will not be published. Required fields are marked *