ଖଣ୍ଡଗିରି କୋଳଥିଆ ହତ୍ୟାକାଣ୍ଡରେ ପୁଅ ପରେ ବାପା ମୃତ । ଘରେ ପଶି ଆକ୍ରମଣ ଘଟଣାରେ ପ୍ରଥମେ କୃଷ୍ଣ ପାଢ଼ୀଙ୍କ ମୃତ୍ୟୁ ହୋଇଥିଲା । ଆଜି ଏମ୍ସ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ କୃଷ୍ଣଙ୍କ ବାପା ହିମାଂଶୁ ପାଢ଼ୀଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ଆକ୍ରମଣରେ ଗୁରୁତର ହୋଇଥିବା କୃଷ୍ଣଙ୍କ ଭଉଣୀ ଏବେ ବି ଚିକିତ୍ସାଧୀନ ଅଛନ୍ତି । ଘଟଣାରେ ପୋଲିସ ୨ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ।

ଖଣ୍ଡଗିରି ଥାନା କୋଳଥିଆ ଛକରେ ମୁଖାପିନ୍ଧା ଦୁର୍ବୃତ୍ତମାନେ କୃଷ୍ଣଙ୍କ ଘରେ ପଶି ଲୁହା ରଡରେ ଆକ୍ରମଣ କରିଥିଲେ । ତେବେ ଶୋଇଥିବା ବେଳେ କୃଷ୍ଣ ପାଢ଼ୀଙ୍କୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ଦୁର୍ବୃତ୍ତଙ୍କ ଆକ୍ରମଣରେ କୃଷ୍ଣଙ୍କ ମୃତ୍ୟୁ ହୋଇଥିବା ବେଳେ କୃଷ୍ଣଙ୍କ ବାପା ହିମାଂଶୁ ପାଢ଼ୀ ଓ ଭଉଣୀ ଗୁରୁତର ହୋଇଥିଲେ । ଉଭୟଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ମୃତ କୃଷ୍ଣଙ୍କ ଘର ଗଞ୍ଜାମ ଜିଲ୍ଲା ସୋରଡ଼ା ଅଞ୍ଚଳରେ ହୋଇଥିବାର ସୂଚନା ମିଳିଛି । କୃଷ୍ଣଙ୍କ ପରିବାର ପ୍ରାୟ ୨୦ ବର୍ଷ ଧରି କୋଳଥିଆରେ ରହୁଥିଲେ । କାହା ସହ ସେମାନଙ୍କର ପୂର୍ବରୁ ଶତ୍ରୁତା ନଥିଲା ବୋଲି କହିଛନ୍ତି ପରିବାର ଲୋକ । ଅପରପକ୍ଷେ ସମସ୍ତ ଦିଗକୁ ଆଧାର କରି ପୋଲିସ ତଦନ୍ତ ଚଳାଇଛି । ହତ୍ୟା ପଛରେ ପ୍ରେମ କାରବାର ନା ଜମିବାଡ଼ି ଗଣ୍ଡଗୋଳ ନା ନିଶା କାରବାର ସେନେଇ ତଦନ୍ତ ଜାରି ରଖିଛି ପୋଲିସ ।
