ଝାରସୁଗୁଡ଼ା ଜିଲ୍ଲାର ରେଙ୍ଗାଲି ଅଞ୍ଚଳରେ ଶନିବାର ଭୋର ସକାଳୁ ପୋଲିସ ଓ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିବା ବେଳେ ବ୍ରଜରାଜନଗର ଗାନ୍ଧୀଛକ ଅଞ୍ଚଳର ବାସିନ୍ଦା ତଥା ଦୁର୍ଦ୍ଦାନ୍ତ ଅପରାଧୀ ଜୟ ଚୌହାନ ପୋଲିସ ଏନ୍କାଉଣ୍ଟରରେ ଆହତ ହୋଇଛି। ତାଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଥିବା ସୂଚନା ମିଳିଛି। ଆହତ ଜୟଙ୍କୁ ଉଦ୍ଧାର କରି ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ପୋଲିସ ସୂଚନା ଅନୁଯାୟୀ, ଜୟ ଚୌହାନ ଓ ତାଙ୍କର କିଛି ସହଯୋଗୀ ରେଙ୍ଗାଲି ଅଞ୍ଚଳରେ ଏକ ବଡ଼ ଡକାୟତି ଯୋଜନା କରୁଥିବା ନେଇ ପୋଲିସକୁ ଗୁପ୍ତ ସୂଚନା ମିଳିଥିଲା। ଏହାପରେ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ସେଠାରେ ଚଢ଼ାଉ କରିଥିଲା। ପୋଲିସକୁ ଦେଖି ଅପରାଧୀମାନେ ଖସି ପଳାଇବାକୁ ଉଦ୍ୟମ କରିଥିବା ବେଳେ ଗୁଳି ବିନିମୟ ଘଟିଥିଲା।

ଏହି ଗୁଳି ବିନିମୟରେ ଜୟ ଚୌହାନଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଥିଲା। ତେବେ ତାଙ୍କର ଅନ୍ୟ ସହଯୋଗୀମାନେ ଅନ୍ଧାରର ସୁଯୋଗ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ପଳାତକ ଅପରାଧୀମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ତଲାସି ଅଭିଯାନ ଜାରି ରହିଛି।
