ସନ୍ଧ୍ୟା ହେଲେ ଘରେ ତାଟି କବାଟ ବନ୍ଦ କରି ରହୁଛନ୍ତି ଲୋକେ
ରାୟଗଡା ଜିଲ୍ଲାର ନିୟମଗିରି ଅଞ୍ଚଳରେ ପୁଣି ହାତୀ ଆତଙ୍କ ଦେଖିବାକୁ ମିଳିଛି। କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତର କୃଷମୁହିଁ ଗାଁରେ ହାତୀ ଚଳପ୍ରଚଳ ବଢ଼ିଥିବାରୁ ଲୋକେ ସନ୍ଧ୍ୟା ପରେ ଘରୁ ବାହାରିବାକୁ ଭୟ କରୁଛନ୍ତି। ଆମ୍ବ ଓ ପଣସ ଋତୁ ଚାଲିଥିବାରୁ ଖାଦ୍ୟ ସନ୍ଧାନରେ ହାତୀ ଗାଁମୁହାଁ ହେଉଥିବା ସୂଚନା ମିଳିଛି। ବନ ବିଭାଗ ପକ୍ଷରୁ ସଚେତନତା ଜାରି ରହିଥିଲେ ମଧ୍ୟ ଗ୍ରାମବାସୀଙ୍କ ଭୟ କମୁନାହିଁ।
ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତ ଅନ୍ତର୍ଗତ କୃଷମୁହିଁ ଗାଁରେ ପୁଣି ହାତୀ ଚଳପ୍ରଚଳ ଦେଖିବାକୁ ମିଳିଥିବାରୁ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଗାଁରେ ପ୍ରାୟ ୧୪ଟି ପରିବାର ବସବାସ କରୁଥିବା ବେଳେ ସନ୍ଧ୍ୟା ୬ଟା ପରେ ଲୋକମାନେ ଘରର ତାଟି କବାଟ ବନ୍ଦ କରି ରହୁଛନ୍ତି। ସକାଳ ୭ଟା ପରେ ହିଁ ଲୋକେ ଘରୁ ବାହାରି ଦୈନିକ କାମରେ ଲାଗୁଥିବା କହିଛନ୍ତି ଗ୍ରାମବାସୀ।
ଗତ କିଛି ମାସ ପୂର୍ବେ ପାର୍ସାଲି ପଞ୍ଚାୟତର ବୁଡ଼ୁଣି ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିଲା। ସେହି ଘଟଣା ପରଠାରୁ ଅଞ୍ଚଳରେ ଭୟର ପରିବେଶ ଲାଗି ରହିଥିବା ବେଳେ ପୁଣି ହାତୀ ବାହାରିବା ଲୋକଙ୍କ ଚିନ୍ତା ବଢ଼ାଇଦେଇଛି। ଆମ୍ବ ଓ ପଣସ ଋତୁ ଚାଲିଥିବାରୁ ଖାଦ୍ୟ ସନ୍ଧାନରେ ହାତୀ ଗାଁମୁହାଁ ହେଉଥିବା କୁହାଯାଉଛି। ସେପଟେ ଗାଁରେ ଲାଗାଯାଇଥିବା ସୋଲାର ଲାଇଟ କାମ କରୁନଥିବାରୁ ରାତିରେ ଅନ୍ଧାର ଯୋଗୁଁ ଲୋକଙ୍କ ଭୟ ଆହୁରି ବଢ଼ିଯାଇଛି।
ମେଲଣ୍ଡା, ବୁଡ଼ୁଣି, ତାଡମୁହିଁ, ବେମ୍ବେରୀ, ଚାଟିକଣା, ଚାମରପଦର, କୃଷମୁହିଁ, ତେନ୍ତୁଳିପଦର, ମାୟାବଳୀ ଓ ଦାମାଗାଡା ଭଳି ଗାଁର ଲୋକମାନେ ହାତୀ ଭୟ ଭିତରେ ଦିନ କାଟୁଛନ୍ତି। ଏନେଇ ବନାଞ୍ଚଳ ଅଧିକାରୀ ସଚ୍ଚିଦାନନ୍ଦ ପରିଡା କହିଛନ୍ତି ଯେ, ପ୍ରତ୍ୟେକ ଗାଁରେ ଗଜସାଥୀ ନିୟୋଜିତ ଅଛନ୍ତି ଏବଂ ବନ ବିଭାଗର ସ୍କ୍ୱାର୍ଡ ଟିମ୍ ଗ୍ରାମକୁ ଯାଇ ଲୋକଙ୍କୁ ସଚେତନ କରୁଛି। ରାତି ସମୟରେ ଟର୍ଚ୍ଚ ବିନା ବାହାରକୁ ନ ବାହାରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।
