ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ ବିବାଦ ସହ ଯେମିତି ରହିଛି ପୁରୁଣା ସମ୍ପର୍କ। ଏବେ ଲିକ୍ ହୋଇଥିବା ଏହି ଭିଡିଓ ରାଜନୈତିକ ମହଲରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଭିଡିଓରେ ବିଧାୟକ ସ୍ପଷ୍ଟ ଭାବେ କହୁଛନ୍ତି, “ଘର ଘର ଯାଇ ଜନଗଣନା କିମ୍ବା ସର୍ଭେ କରୁଥିବା ଅଫିସରଙ୍କ ସହ ଆମ ପାର୍ଟିର ଲୋକ ଯାଅ, ଦେଖ ଯଦି ସେମାନେ ଆମ ପାର୍ଟିର ଭୋଟର ନୁହଁନ୍ତି, ତାହାଲେ ତାଙ୍କ ନାମଟି କାଟିଦେବ।” ଜଣେ ଜନପ୍ରତିନିଧି ହୋଇ ସରକାରୀ ପ୍ରକ୍ରିୟାରେ ଏଭଳି ଦଳୀୟ ଆକ୍ରୋଶ ରଖିବା ଏବଂ ଖୋଲାଖୋଲି ନିର୍ଦ୍ଦେଶ ଦେବାକୁ ନେଇ ଏବେ ଲୋକେ ତୀବ୍ର ନିନ୍ଦା କରୁଛନ୍ତି।
ତେବେ ଏହି ଘଟଣାର ପଛର ଟାଇମିଂକୁ ନେଇ ଏବେ ସବୁଠୁ ବଡ଼ ପ୍ରଶ୍ନ ଉଠିଛି। ଗତ ୩ ଦିନ ଧରି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ ବିଜେପି ପକ୍ଷରୁ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ଶିବିର ସରିବା ସରିବା କ୍ଷଣି ବିଧାୟକଙ୍କ ଏଭଳି ବୟାନ ସାମ୍ନାକୁ ଆସିବା ପରେ ସାଧାରଣରେ ଚର୍ଚ୍ଚା ହେଉଛି ଯେ, ପ୍ରଶିକ୍ଷଣ ଶିବିରରେ କଣ ନେତା ଓ କର୍ମୀଙ୍କୁ ଗଣତନ୍ତ୍ର ବିରୋଧୀ କାର୍ଯ୍ୟ କରିବା ପାଇଁ ଏଭଳି ଶିକ୍ଷା ଦିଆଯାଉଛି କି?
ବିଧାୟକ ନବୀନ ଜୈନ ସରକାରୀ ନିୟମକୁ ‘ଫୁ’ କରିବା ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ସେ ବିଧାନସଭାରେ ଟିଟିଲାଗଡ଼ର ଜନସଂଖ୍ୟା ମାତ୍ର ୩ ହଜାର ବୋଲି କହି ହାସ୍ୟାସ୍ପଦ ହୋଇଥିଲେ। ଏହାପରେ ରାମନବମୀରେ ସର୍ବସାଧାରଣରେ ନିଜ ପିସ୍ତଲରୁ ୩ ରାଉଣ୍ଡ ଖୋଲା ଗୁଳି ଚାଳନା କରି ଲୋକଙ୍କୁ ଭୟଭୀତ କରିଥିଲେ। ପରେ ଏହାକୁ ଖେଳଣା ବନ୍ଧୁକ କହି ଉଡାଇଦେବାକୁ ଚେଷ୍ଟା କରିଥିଲେ ସୁଦ୍ଧା ବଲାଙ୍ଗୀର ଏସ୍ ପି ଅଭିଳାଷ ଜି ସ୍ପଷ୍ଟ କରିଥିଲେ ଯେ, ତାହା ଅସଲି ଲାଇସେନ୍ସପ୍ରାପ୍ତ ବନ୍ଧୁକ ଥିଲା। ଏହି ଘଟଣାରେ ପୋଲିସ ବନ୍ଧୁକ ଜବତ କରିବା ସହ ବିଧାୟକଙ୍କ ପିଏସଓଙ୍କୁ ସସପେଣ୍ଡ ମଧ୍ୟ କରିଥିଲା।
ବାରମ୍ବାର ବିବାଦ ସୃଷ୍ଟି କରି ଚର୍ଚ୍ଚାରେ ରହିବା ବୋଧହୁଏ ଟିଟିଲାଗଡ଼ ବିଧାୟକଙ୍କ ଏକ ଅଭ୍ୟାସରେ ପରିଣତ ହୋଇଗଲାଣି। ନିୟମ ତିଆରି କରୁଥିବା ଗୃହର ଜନପ୍ରତିନିଧି ଯଦି ନିଜେ ସରକାରୀ ନିୟମକୁ ବାରମ୍ବାର ବେଖାତିର କରିବେ, ତେବେ ସାଧାରଣ ଜନତାଙ୍କ ଭିତରେ କି ବାର୍ତ୍ତା ଯିବ? ଏହି ଭାଇରାଲ୍ ଭିଡିଓ ପରେ ପ୍ରଶାସନ କିମ୍ବା ଦଳ ତାଙ୍କ ବିରୋଧରେ କଣ ଆକ୍ସନ ନେଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।
