ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଜିଲ୍ଲା ଶିକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଟ୍ରିକ A1 ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି! ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକଙ୍କ ସଭାପତିତ୍ୱରେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ A-1 ଗ୍ରେଡ଼ ପାଇଥିବା ୧୨ ଜଣ ଛାତ୍ରଛାତ୍ରୀ ଏବଂ ଶତପ୍ରତିଶତ ପାସହାର ଥିବା ୧୩ଟି ବିଦ୍ୟାଳୟକୁ ପ୍ରଶଂସା ପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଏହା ସହ ମିଶନ A-1 କାର୍ଯ୍ୟକ୍ରମରେ ଭଲ ପ୍ରଦର୍ଶନ କରିଥିବା ୭୦ ଜଣ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ମଧ୍ୟ ସମ୍ବର୍ଦ୍ଧନା କରାଯାଇଥିଲା। ସଭାରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ସିଡିଓ ପ୍ରଭାସ ଚନ୍ଦ୍ର ଦଣ୍ଡସେନା ଓ ଉପଜିଲ୍ଲାପାଳ ବିନୟ କୁମାର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ଅତିଥିମାନେ ଶିକ୍ଷାର ଗୁଣାତ୍ମକ ବିକାଶ ଓ ଛାତ୍ରଛାତ୍ରୀଙ୍କୁ ପରିଶ୍ରମ ଏବଂ ଶୃଙ୍ଖଳା ସହ ପାଠପଢ଼ା କରିବାକୁ ପରାମର୍ଶ ଦେଇଥିଲେ।
