କଟକ ୪୨ – ମୌଜା ବ୍ରହ୍ମପୁର ଠାରେ, ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଙ୍କ ପୌରହିତ୍ୟରେ ଆୟୋଜିତ ହୋଇ ଯାଇଛି ଚଳିତ ବର୍ଷର ମାଟ୍ରିକ ଟପ୍ପର ସମ୍ବର୍ଦ୍ଧନା ଉତ୍ସବ । ଯେଉଁଠି କଟକ ନିଶ୍ଚିନ୍ତକୋଇଲି ଓ ସଦର ବ୍ଲକର ମୋଟ ୧୪୩ ଜଣ A-1 ଓ A-2 ଗ୍ରେଡ଼ ଉତ୍ତୀର୍ଣ୍ଣ ପିଲାଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ରାଜ ମନ୍ତ୍ରୀ ରବିନାରାୟଣ ନାୟକଙ୍କ ସହିତ ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରଶ୍ନନ ନାଏକ,କଟକ ସଦର ତହସିଲଦାର,ବିଡ଼ିଓ ଓ ବ୍ଲକ ଶିକ୍ଷା ଅଧିକାରୀମାନେ ଉପସ୍ଥିତ ଥିଲେ। କିନ୍ତୁ କାର୍ଯ୍ୟକ୍ରମ ଆରମ୍ଭ ରେ ଅହେତୁକ ବିଳମ୍ବ ଓ ବ୍ୟବସ୍ଥାଗତ ତ୍ରୁଟି ଯୋଗୁଁ ଦେଖା ଦେଇଥିଲା ଅସନ୍ତୋଷ।ଖବର ମୁତାବକ ଦୀର୍ଘ ୩୦-୪୦ କିଲୋମିଟର ଦୂରରୁ ଆସିଥିବା ଶତାଧିକ ଛାତ୍ରଛାତ୍ରୀ ମାନେ ମନ୍ତ୍ରୀଙ୍କ ହାତରୁ ଖଣ୍ଡିଏ ମାନପତ୍ର ପାଇବା ଆଶାରେ, ୪-ଘଣ୍ଟା କାଳ ଭୋକ ଉପାସରେ ଚାହିଁ ବସିଥିବା ବେଳେ କୋମଳମତି ପିଲାଙ୍କ ଦୁଖ ଶୁଣିବାକୁ ଆୟୋଜକ ଯେମିତି ଜଡ ପାଲଟି ଯାଇଥିଲେ। ଏପରିକି ପିଇବା ପାଇଁ ର ସୁବ୍ୟବସ୍ଥା ନଥିବା ରୁ ଅନେକ ଅଭିଭାବକ ପିଲାଙ୍କୁ ନେଇ ଫେରି ପଳାଇଥିଲେ।ତେବେ ବ୍ୟସ୍ତବହୁଳ କାର୍ଯ୍ୟ ଯୋଗୁଁ ୩-ଘଣ୍ଟା ବିଳମ୍ବ ରେ ପହଞ୍ଚି ଥିବା ମନ୍ତ୍ରୀ ଓ ଦୁଇ ବିଧାୟକ, କେହି ଜଣେ ମଧ୍ୟ ବିଳମ୍ବ ଓ ଅବ୍ୟବସ୍ଥା ପାଇଁ କ୍ଷମା ପ୍ରାର୍ଥନା ନକରିଥିବା ଅବିଭାବକ ମହଲକୁ ନିରାଶ କରିଥିଲା । ଅନ୍ୟ ପଟରେ ଏ ବିଳମ୍ବ ଦ୍ଵାରା ପିଲାଙ୍କ ଧୈର୍ଯ୍ୟ ପରୀକ୍ଷା ହେଲା ବୋଲି ହାଲକା ବୟାନ ଦେଇଥିଲେ ବିଧାୟକ ପ୍ରକାଶ ସେଠୀ। ସବୁଠାରୁ ବଡ଼ କଥା ହେଲା ,ଓଡ଼ିଆ ଅସ୍ମିତା କଥା କହି ଓଡ଼ିଆରେ ନାମ ଫଳକ ଲଗାଇବାର ବାର୍ତ୍ତା ବାଣ୍ଟୁଥିବା ସଦର ବିଧାୟକଙ୍କ ଏହି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ଇଂରାଜୀ ନିମନ୍ତ୍ରଣ ପତ୍ର ତାଙ୍କ ଡବଲ ଷ୍ଟାଣ୍ଡାର୍ଡ କୁ ପଦାରେ ପକାଇଛି ।
